ହିମାଚଳ ପ୍ରଦେଶର କୁଲ୍ଲୁରେ ଗାଡ଼ି ଖାଇରେ ପଡ଼ିଯିବାରୁ ୭ ମୃତ, ୧୦ ଆହତ

କୁଲ୍ଲୁ: ରବିବାର ରାତିରେ ହିମାଚଳ ପ୍ରଦେଶର କୁଲ୍ଲୁସ୍ଥିତ ଜାଲୋଦି ଘାଟି ନିକଟରେ ଗୋଟାଏ ଟେମ୍ପୋ ଟ୍ରାଭେଲ୍‌ର ଗାଡ଼ି ଖାଇରେ ପଡ଼ିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮.୩୦ରେ କୁଲ୍ଲୁ ଜିଲ୍ଲାର ବଞ୍ଜର୍‌ ସବ୍‌ଡିଭିଜନ୍‌ସ୍ଥିତ ଜଲୋଦି ଘାଟି ନିକଟରେ ଥିବା ଗଭୀର ଖାଇ ଘିୟାଗି ଭିତରକୁ ଗାଡ଼ିଟି ଖସିପଡ଼ିଥିଲା।

ଦୁର୍ଘଟଣା ଯୋଗୁଁ ଗାଡ଼ିରେ ଥିବା ୧୭ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ବାକି ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ, ପୁଲିସ ଓ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ରାତି ୧.୩୯ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇ ଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ କୁଲ୍ଲୁ ଡାକ୍ତରଖାନାକୁ ନିଆଯାଇଛି।

Image Courtesy of News18

ପୁଲିସସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗାଡ଼ିରେ ଥିବା ୧୭ଜଣ ଯାତ୍ରୀ ହେଉଛନ୍ତି ‘ଏଜୁକେସ୍‌ନାଲ୍‌ ଟୁର୍‌’ରେ ଯାଉଥିବା ବାରାଣସୀର ଶିକ୍ଷାର୍ଥୀ।

କୁଲ୍ଲୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁଦେବ ସିଂହ ଗଣମାଧ୍ୟମକୁ କହିଛନ୍ତି, ରବିବାର ରାତି ୮.୩୦ରେ ଗାଡ଼ିଟି କୁଲ୍ଲୁସ୍ଥିତ ବଞ୍ଜର୍‌ ଉପତ୍ୟକାର ଘିୟାଗି ଅଞ୍ଚଳ ଦେଇ ଯାଇଥିବା ୩୦୫ ନମ୍ବର ଜାତୀୟ ରାଜପଥର ପାହାଡ଼ୀ ଧାରରୁ ଖାଇକୁ ଖସି ପଡ଼ିଥିଲା। ୫ଜଣ ଆହତଙ୍କୁ କୁଲ୍ଲୁସ୍ଥିତ ଜୋନାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବାକି ୫ଜଣ ବଞ୍ଜର୍‌ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ରାତି ପ୍ରାୟ ୧୨.୪୫ରେ ବଞ୍ଜର୍‌ର ‘ବିଜେପି’ ବିଧାୟକ ସୁରେନ୍ଦର୍‌ ସୌର ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ମାଧ୍ୟମରେ ‘ଫେସ୍‌ବୁକ୍‌ ଲାଇଭ୍‌’ରେ ଗୋଟାଏ ଭିଡିଓ ପ୍ରସାରଣ କରି ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ। ମୃତାହତମାନେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ଆଜି ରାଜ୍ୟର ବାସିନ୍ଦା ବୋଲି ସୌରି କହିଛନ୍ତି।

ସମ୍ବନ୍ଧିତ ଖବର