ଭୋପାଳ: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଗୁରୁବାର ସକାଳେ ଏକ ୪୦୦ ବର୍ଷ ପୁରୁଣା ଦୁର୍ଗ କାନ୍ଥ ଘର ଉପରକୁ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢ଼େ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୭ ଘଣ୍ଟାର କଠିନ ପରିଶ୍ରମ ପରେ ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମେ ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏକ ଭୟଙ୍କର ଶବ୍ଦ ଶୁଣିଥିଲୁ ଏବଂ ବାହାରକୁ ଯାଇ କାନ୍ଥ ଭୁଶୁଡ଼ି ପଡ଼ିବା ଦେଖିଥିଲୁ। ଆମେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଜରୁରିକାଳୀନ ସେବା ସହ ଯୋଗାଯୋଗ କରିଥିଲୁ। ଜିଲ୍ଲାପାଳ ସନ୍ଦୀପ ମାକିନ, ଏସ୍ପି ବୀରେନ୍ଦ୍ର କୁମାର ମିଶ୍ର, କୋତୱାଲି ଟିଆଇ ଧୀରେନ୍ଦ୍ର ମିଶ୍ର ଓ ଏସ୍ଡିଇଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ଭିଡ଼ ନିୟନ୍ତ୍ରଣ କରିଥିଲେ। ବଡ଼ ବଡ଼ ପଥର ଓ ଆବର୍ଜନା ଯୋଗୁଁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପ୍ରୟାସ ଜଟିଳ ହୋଇଥିଲା। ଗତ ୩୦ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ପୁରୁଣା ଦୁର୍ବଳ ପାଚେରି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଘଟଣାସ୍ଥଳକୁ ଯାଉଥିବା ସଂକୀର୍ଣ୍ଣ ରାସ୍ତା ମଧ୍ୟ ବଡ଼ ବଡ଼ ଉଦ୍ଧାରକାରୀ ଗାଡ଼ି ଆସିବାରେ ବାଧା ସୃଷ୍ଟି କରିଥିଲା। ପ୍ରବେଶ ପଥରେ ଦୁଇଟି ଭାରୀ ମେସିନ ଓ ଗୋଟିଏ ଜେସିବି ମୁତୟନ କରାଯାଇଥିଲା ଏବଂ ପ୍ରବେଶ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସୀମା ପାଚେରି ଭଙ୍ଗାଯାଇଥିଲା।
ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୁନ୍ନାଲାଲ ବଂଶକର ହସ୍ପିଟାଲରୁ ଗଣମାଧ୍ୟମ ସହ କଥା ହୋଇଛନ୍ତି। କାନ୍ଥ ଭୁଶୁଡ଼ି ପଡ଼ିବା ସମୟରେ ଆମେ ସମସ୍ତେ ଶୋଇଥିଲୁ ବୋଲି ସେ କହିଛନ୍ତି। ଆମେ ଗତ ୧୫ ବର୍ଷ ଧରି ସେଠାରେ ରହୁଥିଲୁ। ପ୍ରବଳ ବର୍ଷା ଏହି ଦୁଃଖଦ ଘଟଣାର ଏକ ପ୍ରମୁଖ କାରଣ ଥିଲା। ଦତିଆ ବିଧାୟକ ରାଜେନ୍ଦ୍ର ଭାରତୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଅଭାବକୁ ସମାଲୋଚନା କରିବା ସହ ମୃତକଙ୍କ ପରିବାରକୁ ତୁରନ୍ତ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଦତିଆରେ ପହଞ୍ଚିଛନ୍ତି। ଦିୱାର ସହର ପହ୍ନା ନାମରେ ପରିଚିତ ଏହି କାନ୍ଥ ୧୬୨୯ ମସିହାରେ ନିର୍ମିତ ହୋଇଥିଲା। ରିଙ୍ଗରୋଡ୍ ନିର୍ମାଣ ପ୍ରକଳ୍ପ ଅଧୀନରେ ଏହାକୁ ଉଚ୍ଛେଦ କରାଯିବାର ଥିଲା, କିନ୍ତୁ ଏହାର ଚାରିପଟେ ଜବରଦଖଲ ପରିସ୍ଥିତିକୁ ଜଟିଳ କରିଦେଇଥିଲା। ପ୍ରବଳ ବର୍ଷା ଯୋଗୁଁ ଦତିଆର ତଳିଆ ଅଂଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ପରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ତୁରନ୍ତ ଭାରତୀୟ ସେନାକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।