ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିସ୍ଫୋରଣ। ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ଗୁଡମ୍ବାରେ ଦଶହରା ପାଇଁ ବାଣ ତିଆରି ବେଳେ ଦେଶୀ ବାଣ କାରଖାନାରେ ରବିବାର ସକାଳ ୧୧.୩୦ ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ବାଣ ତିଆରି କରୁଥିବା ଆଲମ ଏବଂ ତାଙ୍କ ପତ୍ନୀ ମୁନ୍ନିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଆଲମଙ୍କ ବଡ଼ ପୁଅ ଇମ୍ରାନ ଏବଂ ପଡ଼ୋଶୀ ନଦୀମ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୋଟ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଶବ୍ଦ ଅଧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। କୁହାଯାଉଛି ଯେ, ଆଲମ ନିଜ ଘରେ ବାରୁଦ ରଖୁଥିଲେ ଏବଂ ଏଥିରୁ ବାଣ ତିଆରି କରୁଥିଲେ।
ବିସ୍ଫୋରଣରେ ଆଲମଙ୍କ ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଯାଇଛି। ଘର ଭିତରେ ଏବେ ବି କିଛି ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ, ଏଡିସିପି ପୂର୍ବ, ଗାଜିପୁର ଏସିପି, ଇନ୍ସପେକ୍ଟର ଗୁଡମ୍ବା ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ଯୋଗୁଁ ନିକଟବର୍ତ୍ତୀ ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। ରିଲିଫ୍ ଏବଂ ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଜଣାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, 'ଲକ୍ଷ୍ନୌ ଜିଲ୍ଲାର ଏକ ବାଣ କାରଖାନାରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ମିଳିସାରିଛି। ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/31/new-project-12-2025-08-31-14-53-14.jpg)