ନୂଆଦିଲ୍ଲୀ: ଶନିବାର ଦୁର୍ଗା ପ୍ରତିମା ବିସର୍ଜନବେଳେ ଦିଲ୍ଲୀର ଦୁଇଟି ପୃଥକ୍ ଭାଗରେ ଅନ୍ୟୂନ ସାତଜଣ ବ୍ୟକ୍ତି ବୁଡ଼ି ମରିଥିବା ଆଶଙ୍କା କରାଯାଉଛି। ଅଘଟଣ ଘଟିବାର ଠିକ୍ ପରେ ପରେ ଛଅଜଣ ପୀଡ଼ିତଙ୍କ ଶବ ପାଣିରୁ ଉଦ୍ଧାର କରାଯାଇଥିବାବେଳେ ଶନିବାର ବିଳମ୍ବିତ ରାତ୍ରୀଯାଏଁ ଜଣେ ନିଖୋଜ ତରୁଣଙ୍କୁ ଖୋଜା ଚାଲିଥିଲା।
ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର-ପୂର୍ବ ଦିଲ୍ଲୀର ସୋନିଆ ବିହାରସ୍ଥିତ ଚୌହାନ ପଟ୍ଟିଠାରେ ଯମୁନା ନଦୀର କୂଳରେ ପ୍ରଥମ ମୃତ୍ୟୁ ଘଟଣାମାନ ଘଟିଥିଲା ପୂର୍ବାହ୍ନ ୧୧ଟାବେଳେ। ସେତିକିବେଳେ ଖବର ପାଇ ଆମେ ତୁରନ୍ତ ତିନୋଟି ଦମକଳ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲୁ ବୋଲି ଅଗ୍ନିଶମ ସେବା ସଂସ୍ଥା ଅଧିକାରୀମାନେ କହିଛନ୍ତି।
ସୋନିଆ ବିହାରବାସୀ କିରଣ କହନ୍ତି: ‘‘ଦୁର୍ଘଟଣା ସମୟରେ ନିଜ ପରିବାରବର୍ଗଙ୍କ ସହ ମୋ ୧୩ ବର୍ଷିୟ ଭଣଜା, ହିମାଂଶୁ ସେଠାକୁ ଯାଇଥିଲା। ଟିକେ ପରେ ମୁଁ ଏବଂ ମୋ ପୁଅ ସେଠାରେ ପହଞ୍ଚିଥିଲୁ। ସେଠାରେ ପହଞ୍ଚିଲାକ୍ଷଣି ଆମେ ଦେଖିଲୁ ହଠତ୍ ହିମାଂଶୁ ଯମୁନା ନଦୀରେ ଭାସି ଯାଉଛି। ତା’ସହ ତା’ର ଜଣେ ସାଙ୍ଗ ମଧ୍ୟ ବୁଡ଼ି ଯାଇଛି। ଭାବୁଛି ନଈକୂଳରେ ଖେଳୁଥିବା ସମୟରେ ଦୈବାତ୍ ସେମାନଙ୍କ ଗୋଡ଼ ଖସିଯାଇଛି।’’
ବଡ଼ାଳିମାନେ ତଲାସୀ ଅଭିଯାନ ଚଳାଇଥିଲେ। ଏବେ ସେଠାରେ ନିୟମିତ ଘଟଣା ପାଲଟିଥିବା ଦୁଃଖଦ ଘଟଣା ଯୋଗୁଁ ସେଠାରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। କିଛି ସମୟ ପରେ ଉଦ୍ଧାର ଦୁଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।
ଦଳେ କିଶୋର ଖେଳୁଥିବାବେଳେ ଯମୁନା ନଦୀ ନିକଟସ୍ଥ ପଲ୍ଲା ଗାଁ’ରେ ଦ୍ୱିତୀୟ ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ସେବା ଅଧିକାରୀମାନେ କହିଛନ୍ତି ଯେ ଛଅଜଣ କିଶୋର ଧାର୍ମିକ କାର୍ଯ୍ୟରେ ନଈରେ ପଶିଥିଲେ। ଖର ସୁଅ ଯୋଗୁଁ ସେମାନେ ସମସ୍ତେ ଭାସିଯାଇଥିଲେ। କିନ୍ତୁ କୌଣସିମତେ ଦୁଇଜଣ ପହଁରି ପହଁରି ପଳାଇ ଆସିଥିଲେ ବୋଲି ଜଣେ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି।
ଅଗ୍ନିଶମ ଅଧିକାରୀମାନେ କହିଛନ୍ତି: ଭୋର୍ ସାଢ଼େ ୪ଟାବେଳେ ଖବର ପାଇଥିଲେ। ତିନିଜଣ ଯୁବକଙ୍କ ଶବ ଉଦ୍ଧାର କରାଯାଇଥିଲା। ନିଖୋଜ ଚତୁର୍ଥ ଯୁବକଙ୍କ ଶବ ଖୋଜାଚାଲିଛି। ମୃତ ବାଳକମାନଙ୍କର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ ଏବଂ ସେମାନେ ପୂର୍ବ ପଞ୍ଜାବି ବାଗ୍ର ବାସିନ୍ଦା।
ସନ୍ଧ୍ୟା ସାଢ଼େ ସାତଟାବେଳେ ସୋନିଆ ବିହାର ଚୌହାନ ପଟ୍ଟିରୁ ଉଦ୍ଧାର ତୃତୀୟ ପୀଡ଼ିତା ଜଣକ ଜଣେ ଅନାମିକା ଝିଅ। ଖୁବ୍ ଶୀଘ୍ର ତାଙ୍କର ପରିଚୟ ମିଳିବ ବୋଲି ପୁଲିସ କହୁଛି।
ସେପ୍ଟେମ୍ବର ୩ ତାରିଖ ଦିନ ଗଣେଶ ବିସର୍ଜନବେଳେ ତିନିଟି ପୃଥକ୍ ସ୍ଥାନରେ ୪ଜଣ ତରୁଣ ବୁଡ଼ି ଯାଇଥିଲେ। ଠିକ୍ ଶନିବାର ଦିନର ଅଘଟଣସ୍ଥଳ ସୋନିଆ ବିହାରଠାରେ ଦୁଇଜଣ ବୁଡ଼ି ମରିଥିବାବେଳେ ଯଥାକ୍ରମେ ଶସ୍ତ୍ରୀ ପାର୍କ ଏବଂ ବାଓ୍ଵନାଠାରେ ଜଣେ ଲେଖାଏଁ ଭାସି ଯାଇଥିଲେ।