ଜମିରେ ଫଳୁଛି ୭ ଫୁଟର ଲାଉ, କ୍ୟାମେରା ଜଗୁଛି ଫସଲ

ଓଡ଼ିଶାର ଚାଷୀଙ୍କ ପାଇଁ ଦେଲେ ପରାମର୍ଶ

ଭୁବନେଶ୍ୱର(ବୋୖଦ୍ଧାୟନ ଆଚାର୍ଯ୍ୟ): ଆପଣ କେବେ ୭ ଫୁଟ ଲମ୍ବାର ଲାଉ ଦେଖିଛନ୍ତି କି ? ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ଏହି କରିସ୍ମା ଏବେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି | ତେବେ ଏହି ଲମ୍ବା ଲାଉ ପଛରେ ଲୁଚି ରହିଛି ଏହି ଗାଁର ଯୁବ ଚାଷୀ ଆଲୋକ ପାଣ୍ଡେଙ୍କ ହାତ | ଆଲୋକଙ୍କ ଚାଷ ପ୍ରତି ଥିବା ନିଷ୍ଠାପର ଉଦ୍ୟମ ଯୋଗୁଁ ଏଭଳି ଲାଉ ଫଳୁଥିବାବେଳେ ଏହାକୁ ଦେଖିବାକୁ ଆଖପାଖ ଗାଁର ଲୋକ ମଧ୍ୟ ଲାଉ କ୍ଷେତକୁ ଦେଖିବାକୁ ଆସୁଛନ୍ତି |

Photo-BetterIndia

ଆପଣ ଭାବୁଥିବେ ଲାଉକୁ ଲମ୍ବା କରିବା ପାଇଁ ଆଲୋକ କୌଣସି ହର୍ମୋନ ର ବ୍ୟବହାର କରୁଥିବେ | କିନ୍ତୁ ଏହି କଥା ସତ ନୁହେଁ | ଆଲୋକ କୌଣସି ହର୍ମୋନ ବ୍ୟବହାର ନ କରି ଗୋବର ପାଣିର ବ୍ୟବହାର କରିଥାନ୍ତି | ଆଲୋକ କେବଳ ନିଜ ଜମିରେ ପାରମ୍ପରିକଗତ କୃଷି ପ୍ରଣାଳୀରେ ଚାଷ କରିନଥାନ୍ତି ବରଂ ଆଖପାଖର ଚାଷୀମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇଥାନ୍ତି | ଆଲୋକ ଲାଉର ବିହନ ଅନ୍ୟ ଚାଷୀଙ୍କୁ ଦେଇଥାନ୍ତି | ସାର ଓ କୀଟନାଶକ ବ୍ୟବହାର କଲେ ପରିବେଶ ପ୍ରତି ପଡୁଥିବା କୁପ୍ରଭାବ ବାବଦରେ ମଧ୍ୟ ବୁଝାଇଥାନ୍ତି | ଆଲୋକ ଜଣେ ଗ୍ରାଜୁଏଟ ହୋଇଥିବାବେଳେ ଚାଷ ପ୍ରତି ତାଙ୍କର ଛୋଟବେଳୁ ଆଗ୍ରହ ଥିଲା | ସେଥିପାଇଁ ପ୍ରଥମେ ଆଲୋକ ଧାନ ଓ ଗହମ ଚାଷ ଆରମ୍ଭ କରିଥିଲେ | ଏହା ପରେ ସେ ପରିବା ଚାଷ ପ୍ରତି ମନ ବଳାଇଥିଲେ | ଆଲୋକଙ୍କ କହିବା ମୁତାବକ ଏକ ଏକର ଜମି ପାଇଁ ସେ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଲେ ଫସଲ ଉତ୍ପାଦନ ପରେ ୫୫ରୁ ୬୦ ହଜାର ଟଙ୍କା ମିଳିଥାଏ |

ସମ୍ବାଦ.ଇନକୁ ଆଲୋକ କହିଛନ୍ତି ଯେ ଓଡ଼ିଶାର ଚାଷୀମାନେ ଫସଲ ହାନିକୁ ନେଇ ଆତ୍ମହତ୍ୟା କରୁଥିବା ଖବର ତାଙ୍କୁ ଚିନ୍ତାରେ ପକାଇଛି | ଓଡ଼ିଶାର ଚାଷୀଙ୍କ ପାଇଁ ଆଲୋକଙ୍କ କହିବା କଥା ଯେ ଚାଷ କରିବା ସହ କିଛି ଗୃହପାଳିତ ପଶୁ ମଧ୍ୟ ରଖନ୍ତୁ | ସେହିପରି କେବଳ ଗୋଟିଏ ଫସଲ ଚାଷ ନ କରି ବିବିଧତା ରଖିବା ଆବଶ୍ୟକ | ଧାନ ସହ ପରିବା ଚାଷ କରିବା ଦ୍ୱାରା ଯଦି ଗୋଟିଏ ଫସଲ ନଷ୍ଟ ହୁଏ ତେବେ ଅନ୍ୟ ଫସଲରୁ କିଛି ତ ଲାଭ ମିଳିପାରିବ | ଅତିକମରେ ମୁଖ୍ୟ ଚାଷ କରିବା ସହ ତିନିରୁ ଚାରିଟି ଅନ୍ୟ ଫସଲ ମଧ୍ୟ ଚାଷ କରିବାକୁ ଆଲୋକ ପରାମର୍ଶ ଦେଇଛନ୍ତି |

କ୍ଷେତ ଜଗୁଛି କ୍ୟାମେରା
ଫସଲର ଦେଖାଶୁଣା କରିବା ପାଇଁ ଆଲୋକ ନିଜ କ୍ଷେତ୍ରର ଚାରିପାର୍ଶ୍ୱରେ ତାର ଜାଲି ଲଗାଇଥିବାବେଳେ ଏଥିପାଇଁ କ୍ୟାମେରା ମଧ୍ୟ ଲଗାଇଛନ୍ତି | ଆଲୋକ କହିଛନ୍ତି ଯେ ତାର ଜାଲି ଯୋଗୁଁ ପଶୁ କ୍ଷେତରେ ପଶିପାରୁନଥିବାବେଳେ ଯଦି କେହି ପରିବା ଚୋରି କରିବାକୁ ଆସିବେ ତେବେ କ୍ୟାମେରାରେ ତାହା ରେକର୍ଡ ହୋଇଯିବ |

ସମ୍ବନ୍ଧିତ ଖବର