ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଲକ୍ଡାଉନ୍ ଆସନ୍ତା ମେ' ୩ ପର୍ଯ୍ୟନ୍ତ ବଢ଼ିବ ବୋଲି ଘୋଷଣା କରିଛନ୍ତି। ଲକ୍ଡାଉନ୍ କଟକଣା ମାନିବାପାଇଁ ମୋଦୀ ନାଗରିକଙ୍କୁ ଅନୁରୋଧ କରିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ଦେଶରେ ଲକ୍ଡାଉନ୍ ବଢ଼ାଇବା ଜରୁରୀ ବୋଲି ମୋଦୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ ନାଗରିକଙ୍କ ପାଇଁ ୭ଟି ଟିପ୍ସ ଦେଇଛନ୍ତି ଏବଂ ପ୍ରତ୍ୟେକ ନାଗରିକ ଲକ୍ଡାଉନ୍ ସମୟରେ ଏଗୁଡ଼ିକୁ ମାନିବାପାଇଁ ମୋଦୀ ଅନୁରୋଧ କରିଛନ୍ତି। ଏହି ୭ଟି ଟିପ୍ସ ହେଉଛି।
ବୟସ୍କଙ୍କ ଯତ୍ନ ନିଅନ୍ତୁ
ବୟସ୍କ ଲୋକଙ୍କର ଯତ୍ନ ନେବାପାଇଁ ଏବଂ ନିର୍ଦ୍ଦିଷ୍ଟ ଭାବେ କିଛି ରୋଗରେ ପୀଡ଼ିତ ଥିବା ବୟସ୍କ ଲୋକଙ୍କର ଭଲଭାବେ ଯତ୍ନ ନେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗରିକଙ୍କୁ ଅନୁରୋଧ କରିଛନ୍ତି। ସବୁ ବୟସର ଲୋକଙ୍କୁ କରୋନା ହେଉଥିଲେ ବି ବୟସ୍କ ଲୋକଙ୍କ ପାଇଁ ସବୁଠୁ ବିପଦ ଅଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏହି ସମୟରେ ବୟସ୍କଙ୍କ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ।
ସାମାଜିକ ଦୂରତ୍ବ ଅବଲମ୍ବନ କନ୍ତୁ
ଲକ୍ଡାଉନ୍ ସମୟରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ଭାବେ ଅବଲମ୍ବନ କରିବାପାଇଁ ମୋଦୀ କହିଛନ୍ତି। ଜଣେ ବ୍ୟକ୍ତି ଯଦି ଘରୁ ବାହାରକୁ ବାହାରିବା ନିହାତି ଦରକାର ଅଛି ତେବେ ସେ ମାସ୍କ ପିନ୍ଧି ଯାଆନ୍ତୁ ଏବଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ।
ଆୟୁଷ ନିର୍ଦ୍ଦେଶାବଳୀ ମାନନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାପାଇଁ ଏବଂ ସୁସ୍ଥ ରହିବାପାଇଁ ଆୟୁଷ ମନ୍ତ୍ରାଳୟର ୱେବସାଇଟ୍ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ମାନିବାପାଇଁ ମୋଦୀ କହିଛନ୍ତି। ଏହା ଦ୍ବାରା କୋଭିଡ୍-୧୯କୁ ଟାଳି ଦେଇ ହେବ ବୋଲି ସେ କହିଛନ୍ତି।
ଗରିବଙ୍କୁ ସାହାଯ୍ୟ କରନ୍ତୁ
ଗରିବ ଏବଂ ଅସହାୟ ଯେଉଁମାନେ କି କୋଭିଡ୍ -୧୯ ସଙ୍କଟ ପାଇଁ ଘୋରଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କୁ ସହଯୋଗ କରନ୍ତୁ। ମୋଦୀ କହିଛନ୍ତି, ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବମାନଙ୍କୁ ସହଯୋଗ କରୁଛନ୍ତି। ତେବେ ଏଭଳି ଜଟିଳ ସମୟରେ ଯେଉଁମାନେ ପାରିବେ ସେମାନେ ଗରିବଙ୍କୁ ସହଯୋଗ କରିବାପାଇଁ ମୋଦୀ କହିଛନ୍ତି।
କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ରୁହନ୍ତୁ
କର୍ପୋରେଟ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଏହା ସବୁଠୁ ବଡ଼ ଅନୁରୋଧ। ଯେଉଁମାନେ ଲକ୍ଡାଉନ୍ ପାଇଁ କମ୍ପାନି ବନ୍ଦ କରିଦେଇଛନ୍ତି କିମ୍ବା କମ୍ କର୍ମଚାରୀରେ କାମ କରୁଛନ୍ତି ସେମାନେ କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଏବଂ କାହାକୁ ଚାକିରିରୁ ବାହାର ନ କରିବାପାଇଁ ମୋଦୀ କହିଛନ୍ତି।
କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ
ଦେଶରେ କରୋନା ମୁକାବିଲା ପାଇଁ ଯେଉଁମାନେ ସମ୍ମୁଖଭାଗରେ ରହି କାମ କରୁଛନ୍ତି ସେମାନଙ୍କୁ ସମ୍ମାନ ଦେବାପାଇଁ ମୋଦୀ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ କରାଯିବାପରେ ମୋଦୀ ଏହି ଅନୁରୋଧ କରିଛନ୍ତି।
ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରନ୍ତୁ
ଅରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାପାଇଁ ମୋଦୀ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ଆରୋଗ୍ୟ ସେତୁ ଆପ୍ ଦ୍ବାରା ସରକାର ସ୍ଥିତିକୁ ଆହୁରି ଭଲଭାବେ ଯାଞ୍ଚ କରିପାରିବେ।