ଆଫଗାନିସ୍ତାନରେ ତାଲିବାନୀ କାଣ୍ଡ : ୭ ଭାରତୀୟ ଇଂଜିନିୟର ଅପହୃତ

କାବୁଲ : ଆଫଗାନିସ୍ତାନର ବାଘଲାନ ପ୍ରଦେଶରେ ଆଜି ସକାଳେ ଏକ ପାଓ୍ଵାର ପ୍ଲାଣ୍ଟ୍‌ରେ କାର୍ଯ୍ୟରତ ୭ ଜଣ ଭାରତୀୟ ଇଂଜିନିୟରଙ୍କୁ ସଶସ୍ତ୍ର ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି। ବାଘଲାନସ୍ଥିତ ଏକ ଭାରତୀୟ କମ୍ପାନିରେ କାର୍ଯ୍ୟରତ ଏହି ଇଂଜିନିୟରମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ନିକଟରୁ ଅପହରଣ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ବାଘଲାନ ପ୍ରଦେଶରେ ତାଲିବାନ ଆତଙ୍କବାଦୀଙ୍କ ବିଶେଷ ପ୍ରଭାବ ରହିଥିବା ବେଳେ ଏହି ଅପହରଣ କାଣ୍ଡ ପଛରେ ସେମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ଏଥିପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆଜି ଅପହରଣ ସଂପର୍କରେ ଖବର ମିଳିବା ମାତ୍ରେ ପୁଲିସ ଏବଂ ସେନାର ମିଳିତ ସର୍ଚ୍ଚ ଟିମ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଆଫ୍‌୍‌ଗାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ବାଘଲାନ ପ୍ରଦେଶରେ ୧୦ରୁ ଊର୍ଦ୍ଧ୍ୱ ଭାରତୀୟ କମ୍ପାନି କାର୍ଯ୍ୟରତ ଥିବା ବେଳେ ଏଭଳି ଅପହରଣ ଘଟଣା ଆତଙ୍କ ସୃଷ୍ଟି କରିଛି। ଅପହୃତ ଭାରତୀୟ ଇଂଜିନିୟରମାନେ ଆଫଗାନ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ପାଓ୍ଵାର ପ୍ଲାଣ୍ଟ ଗସ୍ତରେ ଯାଉଥିବା ବେଳେ ରାସ୍ତାରୁ ସେମାନଙ୍କୁ ଅପହରଣ କରାଯାଇଛି।

ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଭାରତୀୟ ଇଂଜିନିୟରଙ୍କୁ ଅପହରଣ କରାଯାଇଥିବା ସଂପର୍କରେ ସବିଶେଷ ତଥ୍ୟ ଦୂତାବାସ ମାଧ୍ୟମରେ ହସ୍ତଗତ ହୋଇଛି ଏବଂ ସେମାନଙ୍କୁ ଠାବ କରି ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ଆଫଗାନ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି ମାମଲା ଉପରେ ଲଗାତାର ନଜର ରଖାଯାଇଥିବା କୁହାଯାଇଛି। ୨୦୧୬ରେ ଜଣେ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ଜଣେ ଭାରତୀୟ ସ୍ୱେଚ୍ଛାସେବୀଙ୍କୁ ଅପହରଣ କରିନେଇଥିଲେ ଏବଂ ୬୦ ଦିନ ପରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର