ଜମ୍ମୁ-କଶ୍ମୀରରେ ଓଲଟିଲା ବସ୍: ୭ ଯବାନ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ବସ ଓଲଟିବବାରୁ ପ୍ରାଣ ହରାଇଲେ ଭାରତ-ତିବ୍ଦତୀୟ ସୀମା ପୁଲିସ୍ (ଆଇଟିବିପି)ର ୭ଜଣ ଯବାନ। ଜମ୍ମୁ-କଶ୍ମୀରର ପହଲଗାମ ଅଞ୍ଚଳରେ ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯିବା ପରେ ୩୦ରୁ ଅଧିକ ଯବାନ ଆହତ ହେବା ସହ ୭ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ବେଳେ ଏହି ବସ୍‌ରେ ଆଇଟିବିପିର ୩୭ଜଣ ଯବାନ ଏବଂ ଜମ୍ମୁ-କଶ୍ମୀର ପୁଲିସର ଦୁଇଜଣ ପୁଲିସ କର୍ମଚାରୀ ଥିଲେ। ବସଟି ଚନ୍ଦନୱାରୀର ଜିଗ୍ ମୋର୍ ଫ୍ରିସଲାନଠାରେ ରାସ୍ତାରୁ ଖସି ଏକ ନଦୀରେ ଯାଇ ପଡ଼ିଥିବ‌ା କୁହାଯାଉଛି।

ଘଟଣା ଘଟିବା ପ‌ରେ ଅତି କମରେ ୧୯ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ସମେତ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Pahalgam bus accident
indiatoday

“ଏହି ଦୁର୍ଘଟଣାରେ ଆମର ୭ଜଣ ଯବାନ ପ୍ରାଣ ହରାଇଛନ୍ତି। ଗୁରୁତର ଆହତ ୮ଜଣ ଯବାନଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରକୁ ପଠାଯାଇଛି, ଅନ୍ୟମାନେ ଅନନ୍ତନାଗର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି” ବୋଲି ଆଇଟିବିପିର ମହାନିର୍ଦ୍ଦେଶକ ଏସଏଲ ଥାଓସେନ କହିଛନ୍ତି। ଦୁର୍ଘଟଣା ପଛର କାରଣ ଅନୁସନ୍ଧାନ କରିବା ପାଇଁ ଆଇଟିବିପି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି କହିଛନ୍ତି ଯେ, ଦୁର୍ଘଟଣା ବିଷୟରେ ଜାଣି ମୁଁ ଖୁବ ଦୁଃଖିତ। ମୋର ପ୍ରାର୍ଥନା ଏବଂ ଚିନ୍ତାଧାରା ଶୋକସନ୍ତପ୍ତ ପରିବାର ସହିତ ଅଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।

ସମ୍ବନ୍ଧିତ ଖବର