ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ; ୭ ମୃତ ଓ ହଜାରରୁ ଅଧିକ ଆହତ

ଜାକର୍ତା: ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୨। ଭୂମିକମ୍ପ ଯୋଗୁଁ ଅନେକ କୋଠାବାଡ଼ି ଭାଙ୍ଗିଯିବାରୁ ଆତଙ୍କିତ ଲୋକେ ନିରାପଦ ସ୍ଥାନକୁ ଧାଇଁ ପଳାଇଥିଲେ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ମାଜିନି ସହରରୁ ୬ କିଲୋମିଟର ଦୂରବର୍ତ୍ତୀ ଏକ ସ୍ଥାନ। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା।

ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସିରୁ ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ମାଜିନିରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୬୩୭ଜଣ ଆହତ ହୋଇଛନ୍ତି। ସେହିଭଳି ମାଜିନି ନିକଟ ମାମୁଜୁ ପ୍ରଦେଶରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
ଗତ ରାତି ପ୍ରାୟ ୧ଟା ବେଳେ ଭୂମିକମ୍ପ ଅନୁଭୂତ ହେବା କ୍ଷଣି ହଜାର ହଜାର ବ୍ୟକ୍ତି ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଧାଇଁ ଯାଇଥିଲେ। ଭୂମିକମ୍ପ ଯୋଗୁଁ ଅନ୍ୟୂନ ୬୦ଟି ଘର ଭାଙ୍ଗିଯାଇଥିବା ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି।

Image Courtesy of The Epoch Times

ପ୍ରାୟ ୭ ସେକେଣ୍ଡ୍‌ ଧରି ଖୁବ୍‌ ଜୋର୍‌ରେ ଅନୁଭୂତ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର କୌଣସି ଆଶଙ୍କା ନ ଥିବା ଜଣାପଡ଼ିଛି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ ହୋଇଥିବା ଭୂମିକମ୍ପ ପରର ଭିଡିଓରେ ଦେଖାଯାଉଛି ଯେ, ଲୋକେ ମୋଟରସାଇକେଲ୍‌ ଚଳାଇ ଉଚ୍ଚ ସ୍ଥାନମାନଙ୍କୁ ଚାଲିଯାଉଛନ୍ତି। ଗୋଟାଏ ଘରର ଭଙ୍ଗାରୁଜା ସ୍ତପରେ ପୋତି ହୋଇପଡ଼ିଥିବା ଜଣେ ପିଲାକୁ ଲୋକେ ଉଦ୍ଧାର କରୁଥିବାର ଅନ୍ୟ ଏକ ଭିଡିଓ ମଧ୍ୟ ପୋଷ୍ଟ୍‍ ହୋଇଛି।

ନଷ୍ଟ ହୋଇଥିବା କୋଠାଘରମାନଙ୍କ ମଧ୍ୟରେ ରହିଛି ଦୁଇଟି ହୋଟେଲ୍‌, ଗଭର୍ଣ୍ଣର୍‌ଙ୍କ କାର୍ଯ୍ୟାଳୟ ଏବଂ ଗୋଟାଏ ମଲ୍‌। ପୋଲଟିଏ ଭାଙ୍ଗି ଯାଇଥିବାରୁ ମାମୁଜୁକୁ ଯାତାୟତ କରିବାର ଗୋଟିଏ ରାସ୍ତା ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର