କେନ୍ଦ୍ର ସରକାରୀ ବିଭାଗରେ ୭ ଲକ୍ଷ ପଦବୀ ଖାଲି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୭ ଲକ୍ଷ ପଦବୀ ଖାଲି ରହିଛି । ଏ ସଂପର୍କରେ ଆଜି ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ।

ସେ କହିଛନ୍ତି ଯେ ଗତ ମାର୍ଚ୍ଚ ୧ ସୁଦ୍ଧା ସାରା ଦେଶରେ ପ୍ରାୟ ୬ ଲକ୍ଷ ୮୩, ୮୨୩ ଟି କେନ୍ଦ୍ର ସରକାରୀ ପଦବୀ ଖାଲି ରହିଛି । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଗ୍ରୁପ-ସି ପଦବୀ । ପ୍ରାୟ ୫ ଲକ୍ଷ ୭୪ ହଜାର ଗ୍ରୁପ-ସି ପଦବୀ ଖାଲି ରହିଛି । ସେହିପରି ୮୯,୬୩୮ ଟି ଗ୍ରୁପ-ବି ପଦବୀ ଓ ୧୯,୮୯୬ଟି ଗ୍ରୁପ-ଏ ପଦବୀ ଖାଲି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କହିଛନ୍ତି ।
ଏସବୁ ଖାଲିପଡିଥିବା ପଦବୀଗୁଡ଼ିକର ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ୨୦୧୯-୨୦ ବର୍ଷରେ ୧ ଲକ୍ଷ ୫ ହଜାର ୩୩୮ଟି ପଦବୀ ପୂରଣ ପାଇଁ କର୍ମଚାରୀ ଚୟନ ଆୟୋଗ (ଷ୍ଟାଫ ସିଲେକ୍ସନ କମିଶନ) ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ରେଳବାଇରେ ଥିବା ଖାଲିପଦବୀ ପୂରଣ ପାଇଁ ରେଳବାଇ ନିଯୁକ୍ତ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସେହିପରି ଡାକ ବିଭାଗ ପକ୍ଷରୁ ୧୯୫୨୨ଟି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର