ନୂଆଦିଲ୍ଲୀ : ପୂରା ବିଶ୍ବରେ ବାୟୁ ପ୍ରଦୂଷଣ ମାନବ ଜାତି ପାଇଁ ଏବେ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଅଧିକାଂଶ ରାଷ୍ଟ୍ରରେ ଖରାପ ବାୟୁ ଯୋଗୁଁ ବିପଜ୍ଜନକ ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବାୟୁ ମାନ ସୂଚକାଙ୍କ ପ୍ରକାଶ କରିବା ସହ ବାୟୁ ଗୁଣବତ୍ତା ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତି ବର୍ଷ ବାୟୁ ପ୍ରଦୂଷଣଜନିତ ସଙ୍କଟର ଶିକାର ହୋଇ ବିଶ୍ବରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ହୁ ରିପୋର୍ଟରେ କୁହାଯାଇଛି। ବାୟୁ ପ୍ରଦୂଷଣ ସହ ଜଳବାୟୁ ପରିବର୍ତ୍ତନ ମଣିଷର ସ୍ବାସ୍ଥ୍ୟ ପ୍ରତି ସବୁଠୁ ବଡ଼ ଚ୍ୟାଲେଂଜ ହୋଇଛି। ପ୍ରଦୂଷଣ ଯୋଗୁଁ କୋଟି କୋଟି ଲୋକଙ୍କର ଆୟୁ କମିଯିବା ସହ ଶିଶୁଙ୍କ କ୍ଷେତ୍ରରେ ବାୟୁ ପ୍ରଦୂଷଣ ଯୋଗୁଁ ଫୁସଫୁସ୍ର ବିକାଶ ହୋଇପାରୁନି ଏବଂ ଫୁସଫୁସ୍ ଠିକ୍ ଭାବେ କାମ କରୁନି ବୋଲି ଏହି ରିପୋର୍ଟରେ କୁହାଯାଇଛି। ପିଲାଙ୍କ କ୍ଷେତ୍ରରେ ଶ୍ବାସକ୍ରିୟାରେ ସମସ୍ୟା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶେଷ ଥର ପାଇଁ ୨୦୦୫ରେ ‘ହୁ’ ବାୟୁର ମାନକୁ ନେଇ ନିର୍ଦ୍ଦେଶାବଳି ଜାରି କରିଥିଲା। ଏବେ ‘ହୁ’ର ନୂଆ ନିର୍ଦ୍ଦେଶାବଳୀରେ ଲୋକଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବାପାଇଁ ବାୟୁର ମାନ ନିର୍ଦ୍ଧାରଣ ନିମନ୍ତେ କେତେକ ନୂଆ ସର୍ତ୍ତ ରଖାଯାଇଛି। ‘ହୁ’ର ଏହି ନିର୍ଦ୍ଦେଶାବଳୀରେ ପିଏମ୍ (ପାର୍ଟିକୁଲେଟ୍ ମ୍ୟାଟର) ୨.୫ ଏବଂ ପିଏମ୍ ୧୦ , ଓଜନ୍ ଓ୩, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍(ଏନ୍ଓ୨), ସଲଫର ଡାଇଅକ୍ସାଇଡ୍ (ଏସ୍ଓ୨) ଏବଂ କାର୍ବନ ମନୋକ୍ସାଇଡ୍ (ସିଓ) ସ୍ତରକୁ ନେଇ ତଥ୍ୟ ଉପସ୍ଥାପନ କରାଯାଇଛି । ପ୍ରଦୂଷଣ ମୃତ୍ୟୁର ସବୁଠାରୁ ବଡ଼ କାରଣ ଭାବେ ପିଏମ୍ ୨.୫ ଧୂଳିକଣାକୁ ଦର୍ଶାଯାଇଛି। ଏହା ୮୦ ପ୍ରତିଶତ ମୃତ୍ୟୁର କାରଣ ବୋଲି କୁହାଯାଇଛି।
ବାୟୁ ପ୍ରଦୂଷଣ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଉଛି। ବୟସ୍କଙ୍କ କ୍ଷେତ୍ରରେ ହୃଦ୍ରୋଗ ଏବଂ ହୃଦ୍ଘାତ ଆଗୁଆ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ବାୟୁ ପ୍ରଦୂଷଣ ସମସ୍ତ ରାଷ୍ଟ୍ରରେ ସ୍ବାସ୍ଥ୍ୟ ପାଇଁ ଏକ ବିପଦ। କିନ୍ତୁ କମ୍ ଏବଂ ମଧ୍ୟମ ରୋଜଗାର ଥିବା ରାଷ୍ଟ୍ରମାନଙ୍କୁ ଏହା ବେଶୀ ପ୍ରଭାବିତ କରିଛି। ଏସିଆର ସମସ୍ତ ଜନସଂଖ୍ୟା ଏବଂ ବିଶ୍ବର ୯୦ ପ୍ରତିଶତ ଲୋକ ପ୍ରଦୂଷିତ ବାତାବରଣ ଭିତରେ ରହୁଛନ୍ତି ବୋଲି ଆଦନମ କହିଛନ୍ତି।