କୋଲକାତା: ସରିଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ନବ ନିର୍ବାଚିତ ସରକାର ଶପଥ ମଧ୍ୟ ନେଇସାରିଛନ୍ତି | କିନ୍ତୁ ସରିନାହିଁ ଶୀତଳ ଯୁଦ୍ଧ | କାରଣ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ନିଜର ବିରୋଧୀଙ୍କୁ ଚେକ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଭଳି ରଣନୀତି ପ୍ରସ୍ତୁତ କରିଛନ୍ତି | ମମତା ବାନାର୍ଜୀ ତାଙ୍କ ବିପକ୍ଷରେ ଲଢ଼ିଥିବା ଶୁଭେନ୍ଦୁଙ୍କୁ ରୋକିବାକୁ ତାଙ୍କର ଗଡ କୁହାଯାଉଥିବା ମେଦିନୀପୁରର ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପାହ୍ୟା ଦେଇଛନ୍ତି | ଆଉ ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ବିରୋଧୀ ଦଳର ନେତା ଶୁଭେନ୍ଦୁଙ୍କ ଉପରେ ଚାପ ପକାଇବା ପାଇଁ ମମତା ଏଭଳି ରଣନୀତି କରିଛନ୍ତି ।

Advertisment

ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ଏତେ ସଂଖ୍ୟକ ବିଧାୟକଙ୍କୁ କେବେ ବି ମନ୍ତ୍ରୀ କରାଯାଇ ନ ଥିଲା। ବାମଦଳର ସରକାର ସମୟରେ ଏହି ଅଂଚଳରୁ ସର୍ବାଧିକ ୬ଜଣଙ୍କୁ ମନ୍ତ୍ରୀ କରାଯାଇଥିଲା। ନନ୍ଦିଗ୍ରାମ ବିଧାନସଭା ଆସନରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ଜଣେ ବିଧାୟକ ଭାବରେ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବରେ ମନୋନୀତ କରିଛି। ଏହାକୁ ଦୃଷ୍ଟିରେ ରଖି ମମତା ଶୁଭେନ୍ଦୁଙ୍କ ଉପରେ ଚାପ ପକାଇବା ପାଇଁ ଶୁଭେନ୍ଦୁଙ୍କ ଗଡ ଭାବେ ପରିଚିତ ମେଦିନୀପୁରର ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପାଦ ଦେଇଛନ୍ତି |

ମନ୍ତ୍ରୀ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ବୀରବାହା ହାଁସଦା, ସୋମେନ୍ ମହାପାତ୍ର, ଅଖିଲ ଗିରି, ମାନସ ଭୂଇଁଆ, ହୁମାୟୁନ କବୀର, ଶ୍ରୀକାନ୍ତ ମହତୋ ଏବଂ ଶିଉଲି ସାହା ଅଛନ୍ତି। କୁହାଯାଉଛି ଯେ ଏତେ ଦିନ ଧରି ଅବିଭକ୍ତ ମେଦିନୀପୁରରେ ଅଧିକାରୀ ପରିବାରର ରାଜ ଚାଲିଆସୁଛି | ତେବେ ଦିନେ ମମତାଙ୍କ କ୍ୟାବିନେଟର ଶୁଭେନ୍ଦୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ | ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ଥିବାବେଳେ ଏହି ଅଂଚଳରୁ ଆଉ କାହାକୁ ମନ୍ତ୍ରୀ କରାଯାଇନଥିଲା | ତେବେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ମମତା ସେଠାରେ ଥିବା ଅନ୍ୟ ନେତାଙ୍କ ପ୍ରତି ଧ୍ୟାନ ଦେବା ଆରମ୍ଭ କରି ଦେଇଛନ୍ତି ଯାହାଫଳରେ ଶୁଭେନ୍ଦୁଙ୍କ ଗଡ଼ରେ ତାଙ୍କର ପ୍ରଭାବ ହ୍ରାସ ପାଇବ।