ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ ସହ ତୀବ୍ର ଉତ୍ତେଜନା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସାରା ବିଶ୍ବକୁ ଅବଗତ କରିବାପାଇଁ ସରକାର ଏକ ନୂଆ ପ୍ରୟାସ କରୁଛି। ‘ଅପରେସନ୍ ସିନ୍ଦୂର’ ଏବେ ସାରା ବିଶ୍ବରେ ଚର୍ଚ୍ଚିତ ପ୍ରସଙ୍ଗ ଥିବାରୁ ଏ ବାବଦରେ ପ୍ରମୁଖ ରାଷ୍ଟ୍ରମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯିବ ଏବଂ ଏଥିପାଇଁ ୭ ଜଣ ସାଂସଦଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ। ଏଥି ମଧ୍ୟରୁ ଗୋଟିଏ ପ୍ରତିନିଧି ଦଳର ନେତୃତ୍ବ ନେବେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍। ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ଯଥାର୍ଥତାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବା ଏବଂ ଏଥିପାଇଁ ବୈଶ୍ବିକ ସମର୍ଥନ ହାସଲ ଉଦ୍ଦେଶ୍ୟରେ କୂଟନୈତିକ ପ୍ରସାର ପାଇଁ ଦେଶକୁ ପ୍ରତିନିଧିତ୍ୱ କରୁଥିବା ନେତାମାନଙ୍କ ନାମ ଶନିବାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ନାମ ଘୋଷଣା କରି କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ, ଭାରତ ଏକଜୁଟ ହୋଇ ରହିଛି । ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ବାର୍ତ୍ତା ବହନ କରି ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ‘ଏହା ରାଜନୀତିଠାରୁ ଊର୍ଦ୍ଧ୍ୱରେ, ପାର୍ଥକ୍ୟରୁ ଊର୍ଦ୍ଧ୍ୱରେ ଏବଂ ଆମ ଜାତୀୟ ଏକତାର ଏକ ଶକ୍ତିଶାଳୀ ପ୍ରତିଫଳନ’ ବୋଲି ସେ ଟ୍ୱିଟ୍ କରିଛନ୍ତି। ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବା ଅନ୍ୟ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ରବି ଶଙ୍କର ପ୍ରସାଦ (ବିଜେପି), ସଞ୍ଜୟ କୁମାର ଝା (ଜେଡିୟୁ), ବୈଜୟନ୍ତ ପଣ୍ଡା (ବିଜେପି), କାନିମୋଝି କରୁଣାନିଧି (ଡିଏମକେ), ସୁପ୍ରିୟା ସୁଲେ (ଏନ୍ସିପି), ଶ୍ରୀକାନ୍ତ ଏକନାଥ ସିନ୍ଦେ (ଶିବସେନା)।
ଶଶି ଶରୁର୍ଙ୍କ ନେତୃତ୍ବାଧୀନ ଟିମ୍ ଆମେରିକା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ରବି ଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ଟିମ୍ ସାଉଦି ଆରବ, କୁଏତ, ବାହାରିନ ଏବଂ ଆଲଜେରିଆ ଗସ୍ତ କରିବେ। ସୁପ୍ରିୟା ସୁଲେଙ୍କ ଦଳ ଓମାନ, କେନିଆ, ଦକ୍ଷିଣ ଆଫ୍ରିକା ଏବଂ ଇଜିପ୍ଟ ଯାତ୍ରା କରିବେ। ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳ ସର୍ବାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୬ରୁ ୭ ଜଣ ସାଂସଦଙ୍କୁ ନେଇ ଗଠିତ ପ୍ରତ୍ୟେକ ପ୍ରତିନିଧିମଣ୍ଡଳ ପ୍ରାୟ ଚାରିରୁ ପାଞ୍ଚଟି ଦେଶ ଗସ୍ତ କରିବେ ବୋଲି ଆଶା କରାଯାଉଛି।
ଅନୁରାଗ ଠାକୁର, ଅପରାଜିତା ଷଡ଼ଙ୍ଗୀ, ମନୀଷ ତିୱାରୀ, ଅସଉଦ୍ଦିନ ଅୱେସି, ଅମର ସିଂ, ରାଜୀବ ପ୍ରତାପ ରୁଡି, ସମିକ ଭଟ୍ଟାଚାର୍ଯ୍ୟ, ବ୍ରିଜ ଲାଲ, ସରଫରାଜ ଅହମ୍ମଦ, ବିକ୍ରମଜିତ ପାଥବନୀ, ବିକ୍ରମଜିତ ସାହାଣୀ, ସସ୍ମିତ ପାତ୍ର ଏବଂ ଭୁବନେଶ୍ବର କଲିତା ମଧ୍ୟ ପ୍ରତିନିଧି ଦଳରେ ଅଛନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।। ସାଂସଦ ନଥିଲେ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନାଁ ମଧ୍ୟ ସଞ୍ଜୟ ଝା’ଙ୍କ ନେତୃତ୍ବାଧୀନ ପ୍ରତିନିଧି ଦଳରେ ସାମିଲ ଅଛି। ସରକାର ମଧ୍ୟ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ମନା କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପ୍ରତିନିଧି ଚୟନକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି।
କଂଗ୍ରେସର ଚୟନକୁ ଅଣଦେଖା କଲା କେନ୍ଦ୍ର
ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱ ଓ ଶଶି ଥରୁରଙ୍କ ମଧ୍ୟରେ ଫାଟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର କଂଗ୍ରେସ ଦଳର ସୁପାରିସକୁ ଅଣଦେଖା କରି ପାକିସ୍ତାନ ସହ ସଂଘର୍ଷ ଉପରେ କୂଟନୈତିକ ପ୍ରଚାର ପାଇଁ କେରଳ ସାଂସଦଙ୍କୁ ବାଛିବା ଘଟଣାକୁ ଦଳ ଭଲରେ ନେଇ ନାହିଁ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ପର୍ଦ୍ଦାଫାସ କରିବା ଏବଂ ଅପରେସନ ସିନ୍ଦୂର ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବା ପାଇଁ କେନ୍ଦ୍ର ସରକାର ଯେଉଁ ସାତଜଣ ସାଂସଦଙ୍କ ନାମ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରେ ଥରୁର୍ ଅଛନ୍ତି। ତେବେ କେନ୍ଦ୍ର ସରକାର ଏହି ନାମ ଘୋଷଣା କରିବାର କିଛି ସମୟ ପରେ କଂଗ୍ରେସର ମିଡିଆ ପ୍ରଭାରୀ ଜୟରାମ ରମେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଦଳ ସୁପାରିସ କରିଥିବା ନେତାଙ୍କ ମଧ୍ୟରେ ଥରୁର ନାହାନ୍ତି। କଂଗ୍ରେସ ପକ୍ଷରୁ ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ ନସିର ହୁସେନ ଓ ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କ ନାମ ସୁପାରିସ କରାଯାଇଥିଲା। କେନ୍ଦ୍ର ସରକାର କଂଗ୍ରେସର ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଥରୁରଙ୍କୁ ବାଛିବା ଦଳରେ ଅସନ୍ତୋଷ ସୃଷ୍ଟି କରିଛି। ଥରୁର କହିଛନ୍ତି ଯେ ଯେତେବେଳେ ଜାତୀୟ ସ୍ୱାର୍ଥରେ ତାଙ୍କ ସେବା ଆବଶ୍ୟକ ହେଉଛି, ସେତେବେଳେ ଦଳ ତାଙ୍କୁ ଲୋଡ଼ୁନାହିଁ। ସାମ୍ପ୍ରତିକ ଘଟଣା ଉପରେ ଦେଶର ଦୃଷ୍ଟିକୋଣ ଉପସ୍ଥାପନ କରିବା ପାଇଁ ୫ଟି ପ୍ରମୁଖ ରାଜଧାନୀକୁ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବାପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣରେ ମୁଁ ଗର୍ବିତ ବୋଲି ଥରୁର କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତିନି ଦିନର ଶତ୍ରୁତା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିଥିବା ଦାବି କରୁଥିବା ଆମେରିକାକୁ ଭାରତର ପ୍ରତିନିଧିଦଳର ନେତୃତ୍ୱ ନେବେ ଶଶି ଥରୁର। ଏହି ନୂଆ ଘଟଣା କଂଗ୍ରେସ ଓ ଥରୁରଙ୍କ ମଧ୍ୟରେ ଗଭୀର ଫାଟକୁ ଆହୁରି ବଢାଇଦେଇଛି। କେରଳ ସାଂସଦ ଚଳିତ ବର୍ଷ କେନ୍ଦ୍ର ସପକ୍ଷରେ ବାରମ୍ବାର ବୟାନ ଦେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛନ୍ତି।