କୋଲକାତାରେ ରେଳ ସୌଧରେ ନିଆଁ ଲିଭାଉଥିବା ବେଳେ ୪ ଅଗ୍ନିଶମ ଓ ୩ ପୁଲିସ କର୍ମଚାରୀ ଜୀବନ୍ତ ଦଗ୍ଧ

କୋଲକାତା: କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାରେ  ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡସ୍ଥଳରେ ନିଆଁ ଲିଭା କାମରେ ନିୟୋଜିତ ଥିବା ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ୍ ଯବାନ ଓ କୋଲକାତା ପୁଲିସର ଜଣେ ଏଏସଆଇ ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଛନ୍ତି। ପଶ୍ଚିମବଙ୍ଗର ଅଗ୍ନିଶମ ଓ ଜରୁରୀ ସେବା ମନ୍ତ୍ରୀ ସୁଜିତ ବୋଷ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବା ନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସୋମବାର ହଠାତ୍ ରେଲୱେ କାର୍ଯ୍ୟାଳୟରେ ଥିବା ୧୩ତମ ମହଲାରେ ନିଆଁ ଲାଗିବା ପ‌ରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇ ଥିବା ଭିତରେ ଏହି ୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ରେଳବାଇର ନୂଆ କୋଇଲାଘାଟ କୋଠା‌ରେ ଏହି ଅଗ୍ନିକାଣ୍ଡ ଘଟିଛି।

ଆଜି ସନ୍ଧ୍ୟା ୬ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ କୋଲକାତା ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା। ପୁଲିସକୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି। ଏଭଳି ହଠାତ ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ପୂର୍ବାଞ୍ଚଳ ରେଳ ମୁଖପାତ୍ର କମଲ ଦେଓ ନିଶ୍ଚିତ କରିଛନ୍ତି ଯେ, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂତନ କୋଇଲାଘାଟ ବିଲ୍ଡିଂରେ ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳର କାର୍ଯ୍ୟାଳୟ ରହିଛି। ଏହାର ତଳ ମହଲାରେ ଏକ ଟିକେଟ୍ ବୁକିଂ ସେଣ୍ଟର ମଧ୍ୟ ଅଛି।

ସମ୍ବନ୍ଧିତ ଖବର