୭ ହଜାର କୋଟି ଟଙ୍କାର କରଜରେ ବୁଡିରହିଥିଲା କାଫେ କଫି ଡେ 

ଶେଷ ଫୋନ କଲରେ ସିଦ୍ଧାର୍ଥ କହିଥିଲେ, କମ୍ପାନୀର ଯତ୍ନ ନେବ 

ବାଙ୍ଗାଲୋର: ଧୀରେ ଧୀରେ କାଫେ କଫି ଡେର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥଙ୍କ ନିଖୋଜକୁ ନେଇ ଗୁମର ଫିଟିବାରେ ଲାଗିଛି | କୁହାଯାଉଛି ସିଦ୍ଧାର୍ଥ ନିଜର ଶେଷ ଫୋନ କଲ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀଙ୍କୁ କରିଥିଲେ | ୫୬ ସେକେଣ୍ଡର ଏହି ବାର୍ତ୍ତାଳାପରେ ସିଦ୍ଧାର୍ଥ କହିଥିଲେ ଯେ କମ୍ପାନୀର ଯତ୍ନ ନେବ | ଏହା ପରେ ଫୋନ ଅଫ କରିଦେଇଥିଲେ ସିଦ୍ଧାର୍ଥ |

ବଡ କଥା ହେଉଛି ଯେଉଁ ସ୍ଥାନରୁ ସିଦ୍ଧାର୍ଥ ନିଖୋଜ ହୋଇଛନ୍ତି ସେହି ସ୍ଥାନରୁ ମାତ୍ର ୬୦୦ ମିଟର ଦୂରରେ ସମୁଦ୍ର ମୁହାଣ ରହିଛି | ସୋମବାର ସନ୍ଧ୍ୟାରେ ଉଚ୍ଚ ଜୁଆର ଆସିଥିବାରୁ ପୁଲିସ ଏବେ ନଦୀ ସହ ମୁହାଣରେ ବି ଖୋଜାଖୋଜି ଆରମ୍ଭ କରିଛି | ସେହିପରି ଆଉ ଏକ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି | କୁହାଯାଉଛି ସିଦ୍ଧାର୍ଥଙ୍କ କମ୍ପାନୀ ଉପରେ ପ୍ରାୟ ୭ ହଜାର କୋଟି ଟଙ୍କାର ଋଣ ରହିଥିଲା |

ଯାହାକୁ ନେଇ ଚିନ୍ତାରେ ଥିଲେ ସିଦ୍ଧାର୍ଥ | ନିଜର ଏକ ହାତଲେଖା ଚିଠିରେ ଲେଖିଥିଲେ ଯେ ‘ମୋତେ କ୍ଷମା କରିଦିଅନ୍ତୁ, ଜଣେ ଉଦ୍ୟୋଗପତି ହେବାରେ ମୁଁ ବିଫଳ ହୋଇଛି, କାହାକୁ ଠକିବା ମୋର ଉଦ୍ଦେଶ୍ୟ ନଥିଲା | ସେହିପରି ସବୁ ପ୍ରକାର ଅର୍ଥ ନେଣଦେଣ ସିଏ କରିଛନ୍ତି ଏଥିପାଇଁ ଆଇନ ତାଙ୍କୁ ଧରିବା ଉଚିତ |’ ଅନ୍ୟପଟେ ସିଦ୍ଧାର୍ଥଙ୍କୁ ଖୋଜିବାକୁ ନେଇ ଆଜି ବିଜେପି ସାଂସଦ ଶୋଭା କରନ୍ଲଜେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର