ମୁଜାଫରନଗର ଦଙ୍ଗା, ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୨୦୧୩ ମସିହାର ମୁଜାଫରନଗର ଦଙ୍ଗା ଯେଉଁ ହତ୍ୟାକାଣ୍ଡ ପାଇଁ ସୃଷ୍ଟି ହୋଇଥିଲା ଆଜି ସେଥିରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ୨୦୧୩ ଅଗଷ୍ଟ ୨୭ ତାରିଖରେ ମୁଜାଫରନଗରର କାୱଲ ଗ୍ରାମରେ ଦୁଇ ଜଣଙ୍କୁ ହତ୍ୟା କରାଯିବା ପରେ ବଡ଼ ଧରଣର ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୯୩ ଜଣ ଗୁରୁତର ଆହତ ହୋଇଥିଲେ। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଆଜୀବନ କାରାଦଣ୍ଡ ପାଇଥିବା ଏହି ୭ ଜଣ ଅଭିଯୁକ୍ତ ହେଲେ ମୁଜାମ୍ମିଲ୍‌, ମୁଜାସିମ୍‌, ଫୁରକାନ୍‌, ନଦୀମ୍‌, ଜାହାଙ୍ଗିର, ଅଫଜଲ ଏବଂ ଇକବଲ୍‌। ସେମାନଙ୍କୁ ମୁଜାଫରନଗର କୋର୍ଟ ଗତ ବୁଧବାର ଦୋଷୀସାବ୍ୟସ୍ତ କରିଥିଲେ। ସେମାନେ ଗୌରବ ଏବଂ ସଚିନ ନାମକ ଦୁଇଜଣଙ୍କ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୩ ଦଙ୍ଗାକୁ ଉତ୍ତରପ୍ରଦେଶରେ ସବୁଠାରୁ ଭୟଙ୍କର ହିଂସା ଭାବେ ବିବେଚନା କରାଯାଉଛି। ମୁଜାଫରନଗର ଦଙ୍ଗା ମାମଲାରେ ୬ ହଜାର ମାମଲା ରୁଜୁ ହୋଇଛି। ଏଥିରେ ୧୫ ଶହରୁ ଅଧିକ ଲୋକ ଗିରଫ ହୋଇଥିଲେ ଏବଂ ୧୭୫ଟି ଚାର୍ଜସିଟ୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର