ଆନ୍ଧ୍ର ପ୍ରଦେଶରେ ଟ୍ରାକ୍ଟର ଓଲଟି ୭ ମହିଳା ମୃତ

ଗୁଣ୍ଟୁର : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସୋମବାର ଏକ ଟ୍ରାକ୍ଟର ଓଲଟି ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏହାବ୍ୟତୀତ ୨୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଟ୍ରାକ୍ଟର ଟ୍ରଲିରେ ଲୋକମାନେ ଏକ ବିବାହ ଉତ୍ସବକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଟ୍ରାକ୍ଟରରେ ୪୦ ଜଣ ଲୋକ ‌ଚେବ୍ରୋଲି ବ୍ଲକର ଜୁପୁଡ଼ିକୁ ଯାଉଥିବାବେଳେ ଭଟ୍ଟିଚେରୁକୁରୁ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଅଧିକ ବେଗରେ ଥିବାରୁ ଡ୍ରାଇଭର ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ଏଥିଯୋଗୁ ଟ୍ରାକ୍ଟରଟି ରାସ୍ତାକଡ଼ରେ ଥିବା ଏକ ବିଲକୁ ଓଲଟି ପଡ଼ିଥିଲା। ୩ ଜଣ ମହିଳା ଦୁର୍ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଆହତମାନେ ଗୁଣ୍ଟୁରସ୍ଥିତ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ପ୍ରଥିପାଡ଼ୁ ବ୍ଲକର କୋଣ୍ଡେପାଡ଼ୁ ଗ୍ରାମର ବାସିନ୍ଦା।

ସମ୍ବନ୍ଧିତ ଖବର