୭୦ ଘଣ୍ଟା ନାଟକର ଆଜି ପରିସମାପ୍ତି ଘଟିଛି

ବିଜେପି ଗଣତାନ୍ତ୍ରିକ ପରମ୍ପରାକୁ ଅସମ୍ମାନ କରିଛି: ରାହୁଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୀର୍ଘ ୭୦ ଘଣ୍ଟା ଧରି ଚାଲିଥିବା ନାଟକର ଆଜି ପରିସମାପ୍ତି ଘଟିଛି। ଅଢ଼େଇ ଦିନର ମୁଖ୍ୟମନ୍ତ୍ରୀ   ବିଜେପି ନେତା ବିଏସ୍‌ ୟେଦୁରପ୍ପା ସଂଖ୍ୟା ଖେଳରେ ହାରିଯାଇ ନିଜ ପଦରୁ ଇସ୍ତଫା ଦେବାପରେ ଏହାକୁ  ନେଇ  ରାଜ୍ୟ ଓ ଜାତୀୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ୟେଦୁରପ୍ପାଙ୍କ ଇସ୍ତଫାରେ ଉତ୍ସାହିତ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଘେରିବା ପାଇଁ ପୂରା ଦମ୍‌ରେ ସମ୍ମୁଖକୁ ଆସିଛି। କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ନ ରହିଲେ ମଧ୍ୟ ଜେଡିଏସ୍‌ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ଦେଇ କଂଗ୍ରେସ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଆସ୍ଥା ଜିଣିବାକୁ ଉଦ୍ୟମ କରିଛି। କଂଗ୍ରେସ ପାଇଁ ଏବେ ରାଜ୍ୟରେ କ୍ଷମତା ଦଖଲ ଅପେକ୍ଷା ୨୦୧୯ ନିର୍ବାଚନ ହେଉଛି ସବୁଠାରୁ ବଡ଼ ଲକ୍ଷ୍ୟ।  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସବୁ ଦଳ ଏକଜୁଟ ହେବାକୁ କଂଗ୍ରେସର ଉଦ୍ୟମ ଏବେ ଜୋର୍‌ଦାର ହୋଇଛି। ୨୦୧୯ ନିର୍ବାଚନରେ ବିଜେପି ବିରୋଧରେ  ମେଣ୍ଟ ଗଠନ ପାଇଁ କଂଗ୍ରେସ କର୍ଣ୍ଣାଟକ ଡ୍ରାମାକୁ ଆହୁରି ଆଗକୁ ଟାଣିବାକୁ ଯୋଜନା କରିଛି। କର୍ଣ୍ଣାଟକ ମାମଲାରେ ରାହୁଲ ଗାନ୍ଧୀ ଆଜି  ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ଓ ବିଜେପି ଗଣତାନ୍ତ୍ରିକ ପରମ୍ପରାକୁ ଅସମ୍ମାନ କରିଛନ୍ତି ବୋଲି ରାହୁଲ କହିଛନ୍ତି। ଆଜି କର୍ଣ୍ଣାଟକ ବିଧାନସଭାର ଅଧିବେଶନ ଶେଷ ହେବା  ପୂର୍ବରୁ ଜାତୀୟ ସଂଗୀତ ଗାନ ବେଳେ ୟେଦୁରପ୍ପା ଏବଂ ବିଜେପି ସଦସ୍ୟ ଗୃହ ଛାଡ଼ି ପଳାଇବା କିଭଳି ପରମ୍ପରା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ମୋଦି ଦେଶ ଏବଂ ଦେଶବାସୀଙ୍କଠାରୁ ବଡ଼ ନୁହନ୍ତି  ବୋଲି ରାହୁଲ କହିଛନ୍ତି।

ବାଜପେୟୀଙ୍କ ରାସ୍ତାରେ ୟେଦୁରପ୍ପା 

ବେଙ୍ଗାଲୁରୁ :  ବିଜେପି ନେତା ବିଏସ୍‌ ୟେଦୁରପ୍ପା ସଂଖ୍ୟା ଖେଳରେ ହାରିଯିବେ ବୋଲି ନିଶ୍ଚିତ ହୋଇଯିବା ପରେ ହିଁ ଶକ୍ତି ପରୀକ୍ଷା ପୂର୍ବରୁ ହିଁ ଇସ୍ତଫା ଘୋଷଣା କରିଥିଲେ।  ୨୨ ବର୍ଷ ପୂର୍ବେ  ୧୯୯୬ ମସିହାରେ  ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ମଧ୍ୟ ଏଭଳି ନାଟକୀୟ ଢ଼ଙ୍ଗରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ୧୯୯୬ ମସିହା ସାଧାରଣ ନିର୍ବାଚନରେ ବିଜେପି ଲୋକସଭାରେ ସବୁଠାରୁ ବଡ଼ ଦଳ ହୋଇଥିଲା। ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ୍‌ ଶର୍ମା ସରକାର ଗଢ଼ିବାପାଇଁ ଅଟଳ ବିହାରୀ ବାଜପେୟୀଙ୍କୁ ଡାକିଥିଲେ। ବାଜପେୟୀ ଦେଶର ଦଶମ ପ୍ରଧାନମନ୍ତ୍ରୀ ରୂପେ ଶପଥ ମଧ୍ୟ ଗ୍ରହଣ କରିଥିଲେ। କିନ୍ତୁ ବିଜେପି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ପାଇବାପାଇଁ ଅନ୍ୟ ଦଳଗୁଡ଼ିକର ସମର୍ଥନ ପାଇ ପାରିଲାନି। ତେବେ ଯେତେବେଳେ ଆବଶ୍ୟକ  ସଂଖ୍ୟା ହାସଲ କରିପାରିବେନି ବୋଲି ବାଜପେୟୀ ଜାଣିପାରିଲେ ସେ ସମୟରେ ସେ ଶପଥ ନେବାର ଠିକ୍‌ ୧୩ ଦିନ ପରେ ସଂସଦରେ ତାଙ୍କ ଉଦ୍‌୍‌ବୋଧନ ରଖି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ୟେଦୁରପ୍ପା ମଧ୍ୟ ଠିକ୍‌ ଏହି ଢଙ୍ଗରେ ଆସ୍ଥା ଭୋଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର