ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି ୭୦ଟି ଏଚଟିଟି-୪୦ ପ୍ରଶିକ୍ଷକ ବିମାନ କ୍ରୟକୁ ଅନୁମୋଦନ କରିଛି। ଏହି ବିମାନ କିଣିବା ପାଇଁ ୬୮୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ବିମାନଗୁଡିକୁ ୬ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଏଚଟିଟି-୪୦ ଏୟାରକ୍ରାଫ୍ଟକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।

Advertisment

ଏହା ଏକ ଟର୍ବୋପ୍ରୋପ୍ ବିମାନ, ଯାହାକି ଉନ୍ନତ ପ୍ରଶିକ୍ଷଣ ଦକ୍ଷତା ପ୍ରଦାନ ପାଇଁ ନିର୍ମାଣ କରାଯାଇଛି | ଏହା ସହ ଏହି ବିମାନ କିଣିବା ନିଷ୍ପତ୍ତି ଶହ ଶହ ଏମଏସଏମଇ (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ) ପାଇଁ ନୂତନ ସୁଯୋଗ ଖୋଲିବ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ଦୃଢ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟ ଅନୁଯାୟୀ, ଏଚଟିଟି-୪୦ରେ ପ୍ରାୟ ୫୬ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯିବ। ଏଥିପାଇଁ ହାଲ ଏମଏସଏମଇ ସମେତ ଭାରତୀୟ ଘରୋଇ ଶିଳ୍ପକୁ ଜଡିତ କରିବ | ଏହି କ୍ରୟ ଦ୍ୱାରା ୧୫୦୦ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୦୦ଟି ଏମଏସଏମଇର ୩୦୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ ।