ବିଶ୍ବର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି

ସୁପ୍ରିମ୍‌କୋର୍ଟରେ ତଥ୍ୟ ପ୍ରଦାନ

ନୂଆଦିଲ୍ଲୀ: ୨୦୧୮ର ଏକ ରିପୋର୍ଟ ଆଧାରରେ ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଭାରତର ୫୩ଟି ବ୍ୟାଘ୍ର ଅଭୟାରଣ୍ୟରେ ୨,୯୬୭ଟି ବାଘ ଅଛନ୍ତି, ଯାହା ବିଶ୍ବ ବ୍ୟାଘ୍ରସଂଖ୍ୟାର ୭୦ ପ୍ରତିଶତ।

କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି ଜଷ୍ଟିସ୍ କେଏମ୍‌ ଜୋସେଫ ଓ ବିଭି ନାଗରତ୍ନାଙ୍କ ବେଞ୍ଚ ଆଗରେ ତଥ୍ୟ ପ୍ରଦାନ କରି କହିଥିଲେ ଯେ, ଭାରତରେ ବ୍ୟାଘ୍ର ସଂରକ୍ଷଣ ଓ ସେମାନଙ୍କ ବଂଶବୃଦ୍ଧି ନିମନ୍ତେ ଅନେକ ପ୍ରଯତ୍ନ କରାଯାଉଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଷ୍ଟାଟସ୍ ରିପୋର୍ଟ ଅନୁସାରେ, ଭାରତରେ ବିଶ୍ବର ୭୦ ପ୍ରତିଶତ ବାଘ ଅଛନ୍ତି। ୨୦୧୮ର ଏହି ରିପୋର୍ଟ ୨୦୨୦ ଜୁଲାଇ ୨୯ରେ ପ୍ରକାଶ ପାଇଥିଲା। କେଉଁ ଦେଶରେ କେତେ ବାଘ ଅଛନ୍ତି ତା’ର ଚତୁର୍ଥ ପର୍ଯ୍ୟାୟ ଗଣନା ୨୦୧୮ରେ ଶେଷ ହୋଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ଭାରତରେ ପ୍ରାୟ ୨୯୬୭ଟି ବାଘ ଅଛନ୍ତି (ସର୍ବନିମ୍ନ ୨୬୦୩ ଓ ସର୍ବାଧିକ ୩୩୪୬)। ଏହା ପୂର୍ବରୁ ଭାରତରେ ୨୦୧୪ରେ ୨୨୨୬, ୨୦୧୦ରେ ୧୭୦୬ ଓ ୨୦୦୬ରେ ୧୪୧୧ଟି ବାଘ ଥିବା ଗଣନା କରାଯାଇଥିଲା। ସରକାରଙ୍କ ପ୍ରଯତ୍ନ ଯୋଗୁ ଭାରତରେ କ୍ରମାଗତ ଭାବେ ବାର୍ଷିକ ୬ ପ୍ରତିଶତ ହାରରେ ବାଘ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ପଞ୍ଚମ ପର୍ଯ୍ୟାୟ ଗଣନା ଏବେ ଜାରି ରହିଛି ଯାହା ଚଳିତ ବର୍ଷ ଶେଷ ହେବ ବୋଲି କୋର୍ଟରେ ତଥ୍ୟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର