ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଏହି ବିବାଦ ଅମରାବତୀରେ ଆହୁରି ରୋଚକ ମୋଡ଼ ନେଇଛି। ରାଜ୍ୟ ସିଆଇଡି କହିଛି ଯେ ଅମରାବତୀରେ ଦାରିଦ୍ର୍ୟ ସୀମା‌ରେଖା ତଳେ ଥିବା ପ୍ରାୟ ୭୦୦ରୁ ଅଧିକ ଲୋକ ୨୦୦ କୋଟିରୁ ଅଧିକ ଟଙ୍କାର ଜମି କିଣିଛନ୍ତି। ସିଆଇଡି ତଦନ୍ତରୁ ଏହା ଜଣାପଡ଼ିଛି ‌ଯେ ଅମରାବତୀରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୭୯୭ ଜଣ ୨୦୧୪-୧୫ରେ ପ୍ରାୟ ୨୦୦ କୋଟି ଟଙ୍କା ବିନିମୟରେ ୭୦୦ ଏକର ଜମି କିଣିଛନ୍ତି। ଏହି ବ୍ୟକ୍ତିଙ୍କ ମାସିକ ରୋଜଗାର ୫,୦୦୦ ଟଙ୍କାରୁ ମଧ୍ୟ କମ୍‌। ଏତେ କମ୍‌ ଟଙ୍କା ରୋଜଗାର‌ରେ ସେମାନେ ଏତେ ବିପୁଳ ଟଙ୍କାରେ ଜମି କେମିତି କିଣିଲେ ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ସିଆଇଡି ଏଡିଜି ପିଭି ସୁନୀଲ କୁମାର କହିଛନ୍ତି। ୨୦୧୪ ଏବଂ ୨୦୧୫ରେ ଅମରାବତୀରେ ଏହି ଜମିଗୁଡ଼ିକ ପଂଜୀକରଣ ହୋଇଥିଲା। ସିଆଇଡି ଏବେ ଏହି ଘଟଣାରେ ସମ୍ଭା‌ବ୍ୟ ମନି ଲଣ୍ଡ୍ରିଂ ଏବଂ ଟିକସ ଫାଙ୍କି ନେଇ ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ଏବଂ ଆୟକର ବିଭାଗର ସହଯୋଗ ନେବ।