ମାଳଦ୍ବୀପରେ ଫସିରହିଥିବା ୭୦୦ଭାରତୀୟ ଫେରିଲେ

ନୂଆଦିଲ୍ଲୀ : ମାଳଦୀପରେ ଫସି ରହିଥିବା ୭୦୦ ଭାରତୀୟଙ୍କୁ ଭାରତ ଫେରାଇ ଆଣିଛି ଭାରତୀୟ ନୌସେନା । ଏମାନଙ୍କୁ ମିଶାଇ ଏବେ ସୁଦ୍ଧା ମୋଟ ୨୬୭୨ ଭାରତୀୟଙ୍କୁ ମାଳଦ୍ପୀପ ଓ ଶ୍ରୀଲଙ୍କାରୁ ଅଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ “ଅପରେସନ ସମୁଦ୍ର ସେତୁ ପାଇଁ ନିୟୋଜିତ ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ମାଳଦୀପର ମାଲେରୁ ୭୦୦ ଭାରତୀୟ ନାଗରିକଙ୍କୁ ନେଇ ରବିବାରଦିନ ତୁତିକୋରିନ ବନ୍ଦରରେ ପ୍ରବେଶ କରିଛି । ଏପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନର ଅଂଶ ଭାବେ ଆଇଏନଏସ ଜଳଶ୍ଵ ମାଳଦୀପ ଏବଂ ଶ୍ରୀଲଙ୍କାରୁ ମୋଟ ୨୬୭୨ ଭାରତୀୟ ନାଗରିକଙ୍କୁ ଭାରତକୁ ଫେରାଇ ଆଣିଛି । ବନ୍ଦେ ଭାରତ ମିଶନ ଦ୍ୱାରା ଭାରତୀୟ ନାଗରିକଙ୍କ ଯାତ୍ରା ମାଳଦୀପରୁ ଆରମ୍ଭ ହୋଇଥିଲା । ଆବଶ୍ୟକ ଡାକ୍ତରୀ ପରୀକ୍ଷା ପରେ ଭାରତୀୟମାନେ ଜାହାଜରେ ଯାତ୍ରା କରିଥିଲେ । କୋଭିଡ ସମ୍ବନ୍ଧୀୟ ସୁରକ୍ଷା ନିୟମଗୁଡିକ ମଧ୍ୟ ସମୁଦ୍ର ଯାତ୍ରା ସମୟରେ କଡାକଡି ଭାବରେ ପାଳନ କରାଯାଇଥିଲା । ଯାତ୍ରୀମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ତୁତିକୋରିନଠାରେ ସ୍ଵାଗତ କରିଥିଲେ ଏବଂ ଶୀଘ୍ର ଅବତରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଇମିଗ୍ରେସନ ଏବଂ ଯାତ୍ରୀଙ୍କ ପରିବହନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନର ମହାମାରୀ ସମୟରେ ଏହି ଫେରନ୍ତାଙ୍କ ସହିତ ଭାରତୀୟ ନୌସେନା ମାଳଦୀପ ଏବଂ ଶ୍ରୀଲଙ୍କାରୁ ୨୮୭୪ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଛି ।

ସେପଟେ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରୁ ବନ୍ଦେ ଭାରତ ମିଶନର ୩ୟ ପର୍ଯାୟ ଆରମ୍ଭ ହେବାକୁ ଯାଉଛି । ଏହି ମିଶନ ଅଧିନରେ ଆସନ୍ତା ଜୁଲାଇ ୨ ମଧ୍ୟରେ ପ୍ରାୟ ୩୦୦ଟି ଫ୍ଲାଇଟ ଚଳାଇ ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ ।

ସମ୍ବନ୍ଧିତ ଖବର