କାବୁଲ: ଆଫଗାନିସ୍ତାନର ଉତ୍ତର ପୂର୍ବ ଅଂଚଳର ପଂଜଶୀର ଘାଟିରେ ତାଲିବାନ ଆତଙ୍କବାଦୀ ଏବଂ ବିଦ୍ରୋହୀ ବାହିନୀ ମଧ୍ୟରେ ଭୀଷଣ ଲଢ଼େଇ ଚାଲିଛି। ତାଲିବାନ ଦଖଲରେ ପଂଜଶୀର ପ୍ରଦେଶର ସମସ୍ତ ପ୍ରମୁଖ ଅଂଚଳ ରହିଥିଲେ ମଧ୍ୟ ବିରୋଧୀ ବାହିନୀ ଏବେ ବି କଡ଼ା ଟକ୍କର ଦେଉଛନ୍ତି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ୭୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ବିଦ୍ରୋହୀମାନେ ୧୦୦୦ରୁ ଅଧିକ ତାଲିବାନୀଙ୍କୁ ବନ୍ଦୀ ବନାଇଥିବା ମଧ୍ୟ ଖବର ମିଳିଛି। ତେବେ ତାଲିବାନ ବାହିନୀର ଦଖଲ ପ୍ରକ୍ରିୟା ପଂଜଶୀର ସବୁ ଅଂଚଳରେ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ବିଦ୍ରୋହୀ ସକ୍ଷମ ହେଉନାହାନ୍ତି ଏବଂ ଖୁବ୍ଶୀଘ୍ର ପଂଜଶୀରକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ତାଲିବାନ ବାହିନୀ ବିଦ୍ରୋହୀଙ୍କ ଉପରେ ଚାପ ସୃଷ୍ଟି ପାଇଁ ନିରୀହ ଲୋକଙ୍କ ଗଣହତ୍ୟା ନିମନ୍ତେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ବିଦ୍ରୋହୀଙ୍କୁ ସମର୍ଥନ କରୁଥିବା ଅଭିଯୋଗରେ ତାଲିବାନ ଖୁବ୍ଶୀଘ୍ର ନରସଂହାର ଆରମ୍ଭ କରବାକୁ ଯାଉଥିବାରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାହେଲ ଜାତିସଂଘକୁ ନିବେଦନ କରିଛନ୍ତି।
ପଂଜଶୀରରେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନେ କେହି ବି ସୁରକ୍ଷିତ ନାହାନ୍ତି। ପ୍ରାୟ ୨ ଲକ୍ଷ ୫୦ ହଜାର ଲୋକ ପଂଜଶୀରରେ ଫସିଛନ୍ତି ଏବଂ ତାଲିବାନ ସମସ୍ତ ଅତ୍ୟାବଶ୍ୟକ ସେବା ବନ୍ଦ କରିଦେଇଥିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶା ଭିତରେ ଅଛନ୍ତି। ଲୋକଙ୍କୁ ସାଧାରଣ ଔଷଧ ମଧ୍ୟ ଉପଲବ୍ଧ ହୋଇପାରୁ ନାହିଁ। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କର ସେନା ପ୍ରତ୍ୟାହାର ପରେ ସମଗ୍ର ଆଫଗାନିସ୍ତାନରେ କେବଳ ଆତଙ୍କ ଓ ହାହାକାର ଲାଗି ରହିଛି। ତାଲିବାନକୁ ରୋକିବା ଦିଗରେ ପଦକ୍ଷେପ ନିଆନଗଲେ ଅକଳ୍ପନୀୟ ବର୍ବରତା ଦେଖିବାକୁ ମିଳିବ ଏବଂ ଏଥିପାଇଁ ମାନବଜାତି ଲଜ୍ଜିତ ହେବ ବୋଲି ଅମରୁଲ୍ଲା କହିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ତାଲିବାନର ସମସ୍ତ ଅପରେସନକୁ ନିୟନ୍ତ୍ରଣ କରୁଛି ଏବଂ ତାଲିବାନକୁ କ୍ଷମତାପନ୍ନ କରିବାରେ ମୁଖ୍ୟ ପୃଷ୍ଠପୋଷକ ସାଜିଛି ବୋଲି ଅମରୁଲ୍ଲା କହିଛନ୍ତି। ପଶ୍ଚିମ ରାଷ୍ଟ୍ରମାନେ ଏବେ ଆଫଗାନ ନାଗରିକଙ୍କ ଜୀବନ ରକ୍ଷା ପାଇଁ ସହାୟତାର ହାତ ନ ବଢ଼ାଇଲେ ସେମାନଙ୍କୁ ଆଉ କେହି ବିଶ୍ବାସ କରିବେ ନାହିଁ ବୋଲି ଅମରୁଲ୍ଲା କହିଛନ୍ତି।