ଲେବାନନ ବିସ୍ଫୋରଣ ପରେ ବି ଚେତୁନାହାନ୍ତି ସରକାର, ଚେନ୍ନାଇ ବନ୍ଦର ନିକଟରେ ପଡ଼ିରହିଛି ୭୦୦ ଟନର ବିସ୍ଫୋରକ ରାସାୟନିକ ସାମଗ୍ରୀ

ଚେନ୍ନାଇ : ଲେବାନନ ରାଜଧାନୀ ବିରୁଟର ଏକ ବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣ ସାରା ବିଶ୍ୱକୁ ଚିନ୍ତିତ କରିଦେଇଛି । ଏକ ଗୋଦାମ ଘରେ ରଖାଯାଇଥିବା ଆମୋନିୟମ ନାଇଟ୍ରେଟରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଦେଶର ବନ୍ଦରଗୁଡ଼ିକରେ ଥିବା ଗୋଦାମରେ ରଖାଯାଇଥିବା ବିସ୍ଫୋରକ ଓ କ୍ଷତିକାରକ ରାସାୟନିକ ସାମଗ୍ରୀ ସଂପର୍କରେ ୪୮ ଘଣ୍ଟାରେ ତଥ୍ୟ ଦେବାକୁ କଷ୍ଟମ୍ସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଚେନ୍ନାଇ ବନ୍ଦର ନିକଟରେ ଥିବା ଏକ ଷ୍ଟକୟାର୍ଡରେ ଗଚ୍ଛିତ ଥିବା ୭୦୦ ଟନର ଆମୋନିୟମ ନାଇଟ୍ରେଟ ଉପରେ ଏବେ ସମସ୍ତଙ୍କ ନଜର ପଡ଼ିଛି । ୨୦୧୫ରୁ ବନ୍ଦର ନିକଟରେ ଏସବୁ ବିସ୍ଫୋରକ ରାସାୟନିକ ସାମଗ୍ରୀ ପଡ଼ିରହିଛି । ଜଣେ ବ୍ୟକ୍ତି ଏହାକୁ ଚୋରାଚାଲାଣ କରୁଥିବାବେଳେ କଷ୍ଟମ ବିଭାଗର ଅଧିକାରୀମାନେ ତାହାକୁ ଜବତ କରିଥିଲେ । ସଂପୃକ୍ତ ଆମଦାନୀକାରୀ ଏହାକୁ ଫର୍ଟିଲାଇଜର ଗ୍ରେଡ ଆମୋନିୟମ ନାଇଟ୍ରେଟ ଦର୍ଶାଇଥିବାବେଳେ ପ୍ରକୃତରେ ତାହା ବିସ୍ଫୋରକରେ ବ୍ୟବହାର ହେଉଥିବା ଆମୋନିୟମ ନାଇଟ୍ରେଟ ଥିଲା । ଏଣୁ ଏହି ସାମଗ୍ରୀକୁ ଜବତ କରାଯିବା ସହ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ଏହି ସାମଗ୍ରୀ ବିପଜ୍ଜନକ ଭାବେ ପଡ଼ିରହିଥିବାରୁ ଲେବାନନ ପରି ଦୁର୍ଘଟଣା ଘଟିବା ଅସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଅନ୍ୟପକ୍ଷରେ କଷ୍ଟମ୍ସ ବିଭାଗ ପକ୍ଷରୁ କୁହାଯାଇଛି ଏସବୁ ସାମଗ୍ରୀ ନିରାପଦ ଅଛି ଓ ଖୁବଶୀଘ୍ର ସେଗୁଡ଼ିକୁ ନିଲାମ କରିଦିଆଯିବ ।

ସମ୍ବନ୍ଧିତ ଖବର