୭୦ତମ ଗଣତନ୍ତ୍ର ଦିବସ: ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା, ୨ ଜୈଶ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ୭୦ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ୨୫ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ବେଳେ କେନ୍ଦ୍ରୀୟ ଦିଲ୍ଲୀ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଦିଲ୍ଲୀରୁ ଦୁଇ ଜଣ ଜୈଶ ଏ ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅବ୍‌ଦୁଲ ଲତିଫ ଗନି (୨୯) ଏବଂ ହିଲାଲ ଅହମ୍ମଦ ଭଟ୍ଟ (୨୬)। ଏହି ଦୁଇ ଆତଙ୍କବାଦୀ ଦିଲ୍ଲ‌ୀରେ ଗଣତନ୍ତ୍ର ଦିବସ ଅବସରରେ ଆକ୍ରମଣ ଯୋଜନା କରିଥିଲେ। ଏହି ଆତଙ୍କବାଦୀମାନେ ଲାଜପତ ନଗର ମାର୍କେଟ୍‌, ହାଜି ମଂଜିଲ, ତୁର୍କମାନ ଗେଟ୍‌, ପାହାଡ଼ଗଂଜ, ଇଣ୍ଡିଆ ଗେଟ୍‌ ଏବଂ ଆଇଜିଏଲ୍‌ ଗ୍ୟାସ୍‌ ପାଇପ୍‌ ଲାଇନକୁ ଟାର୍ଗେଟ କରି ଯୋଜନା କରିଥିଲେ। ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ମୁହଁ ଚିହ୍ନଟ କରିପାରୁଥିବା କ୍ୟାମେରା ଲଗାଇଯାଇଛି ଏବଂ ବିଭିନ୍ନ ସ୍ଥାନରେ ସ୍ନାଇପର୍‌ ମୁତୟନ ହୋଇଛନ୍ତି। ଡ୍ରୋନ୍‌ କ୍ୟାମେରାରେ ନଜର ରଖାଯାଉଥିବା ବେଳେ ଶତାଧିକ ସ୍ଥାନରେ ଯାନବାହନ ଯାଞ୍ଚ ଜାରି ରହିଛି। ଏଥର ଗଣତନ୍ତ୍ର ଦିବସରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର