୧୯୭୧ ଯୁଦ୍ଧ ପାକିସ୍ତାନ ସେନାର ବିଫଳତା ନୁହେଁ : ବାଜଓ୍ବା

ଇସ୍ଲାମାବାଦ : ଚଳିତ ମାସ ୨୯ ତାରିଖରେ ଅବସର ଗ୍ରହଣ କରୁଥିବା ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବା ବୁଧବାରଦିନ ଦିନ ନିଜର ବିଦାୟୀ ଭାଷଣ ଦେଇଛନ୍ତି । ଏହି ଭାଷଣରେ ସେ ସେନାକୁ ନେଇ ରାଜନୀତି କରାଯାଉଥିବାରୁ ତାହାର ସମାଲୋଚନା କରିଛନ୍ତି ।

ତେବେ ନିଜର ଏହି ଭାଷଣରେ ସେ ୧୯୭୧ରେ ହୋଇଥିବା ବଂଲାଦେଶ ଯୁଦ୍ଧ ବିଷୟରେ କେତେକ ଗୁରୁତ୍ବପୂର୍ଣ୍ଣ ଦାବି କରିଥିଲେ । ସେ କହିଥିଲେ ଯେ ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ହାରିନଥିଲା ବରଂ ତାହା ଏକ ରାଜନୈତିକ ବିଫଳତା ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଯୁଦ୍ଧରେ ମାତ୍ର ୩୪ ହଜାର ସୈନ୍ୟ ଅଢେଇ ଲକ୍ଷ୍ୟ ଭାରତୀୟ ସୈନ୍ୟ ଓ ୨ ଲକ୍ଷ ମୁକ୍ତି ବାହିନୀ ସହ ଲଢୁଥିଲେ । ଏହା ସତ୍ତ୍ବେ ସେମାନେ ବୀରତ୍ବର ସହ ଲଢିଥିଲେ । ତାଙ୍କର ବୀରତ୍ବକୁ ଭାରତର ତତକାଳୀନ ସେନାଧ୍ୟକ୍ଷ ଫିଲଡ଼ ମାର୍ସାଲ ସାମ ମାନେକ୍ସା ବି ସ୍ବୀକାର କରିଥିଲେ । କିନ୍ତୁ ସେମାନଙ୍କ ଏହି ସାହାସ ଓ ବୀରତ୍ବକୁ ପାକିସ୍ତାନରେ ସ୍ବୀକୃତି ଦିଆଯାଇନଥିଲା ।

ଭାରତ ଆଗରେ ଯେଉଁ ୯୨ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ, ସେମାନଙ୍କ ମଧ୍ୟରୁ ୩୪ ହଜାର ପାକିସ୍ତାନୀ ସୈନ୍ୟ ଥିଲେ ଓ ଅବଶିଷ୍ଟ ଲୋକମାନେ ସରକାରୀ କର୍ମଚାରୀ ଥିଲେ ବୋଲି ସେ କହିଛନ୍ତି ।

ନଭେମ୍ବର ୨୯, ୨୦୧୬ରେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ତାଙ୍କୁ ପାକିସ୍ତାନର ସେନାଧ୍ୟକ୍ଷ ନିଯୁକ୍ତ କରିଥିଲେ । ପରେ ୧୯ ଅଗଷ୍ଟ ୨୦୧୯ରେ ତାଙ୍କର କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବଢାଇଦେଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏହି ସଂପ୍ରସାରିତ କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୨୯ରେ ଶେଷ ହେଉଛି ।

ସମ୍ବନ୍ଧିତ ଖବର