‌ଭୋଟ ଦେଇ ସାରିବା ପରେ ମତଦାନ କେନ୍ଦ୍ରରେ ହିଁ ବୃଦ୍ଧଙ୍କ ଉଡ଼ିଗଲା ପ୍ରାଣବାୟୁ

ମଥୁରା: ୨୦୨୨ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ସମୟରେ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ୭୧ ବର୍ଷୀୟ ବୃଦ୍ଧ । ଦୁର୍ଭାଗ୍ୟର କଥା ଯେ ଯେମିତି ହିଁ ବୃଦ୍ଧ ଜଣକ ଭୋଟ ଦେଇ ଫେରୁଥି‌ଲେ, ମତଦାନ କେନ୍ଦ୍ରରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ମଥୁରା ଜିଲ୍ଲାର ବଲଦେବ ବିଧାନସଭା ନିର୍ବାଚନମଣ୍ଡଳୀର ମହାବନ ସହରରୁ ସାମ୍ନାକୁ ଆସିଛି।

ଗୁରୁବାର ସକାଳେ ମତଦାନ କେନ୍ଦ୍ରରେ ଭୋଟ୍ ଦେବାର କିଛି ସମୟ ପରେ ଜଣେ ୭୧ବର୍ଷୀୟ ଭୋଟରଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାନୁସାରେ, ନାଗଲା ପିପ୍ରି ନିବାସୀ ନାଥୀ ଲାଲ ବଘେଲ ତାଙ୍କ ଭଣଜା ସହ ଭୋଟ୍ ଦେବାକୁ ଯାଇଥିଲେ। ଗାଁ ନିକଟ ଶାହପୁର ମତଦାନ କେନ୍ଦ୍ର ଦ୍ୱାରରୁ ବାହାରିବା ପରେ ହଠାତ୍ ସେ ତ‌ଳେ ପଡ଼ିଯାଇଥିଲେ।

ମହାବନ ଅଞ୍ଚଳର ପୁଲିସ ସୂତ୍ରରୁ ପ୍ରକାଶ, ବୃଦ୍ଧଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃଦ୍ଧଙ୍କ ପରିବାରକୁ ଶବବ୍ୟବଚ୍ଛେଦ କରିବା ପାଇଁ ପୁଲସ ପ୍ରସ୍ତାବ ଦେଇଥିଲା, କିନ୍ତୁ ନାଥୀ ଲାଲଙ୍କ ପରିବାର ସଦସ୍ୟ ମନା କରି ଦେଇଥିଲେ। ଏହାପରେ ଶବ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ଆସନରେ ମୋଟ୍‌ ୬୨୩ ପ୍ରାର୍ଥୀ ‌ନିର୍ବାଚନ ଲଢ଼ିଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ସମ୍ବନ୍ଧିତ ଖବର