ଦିନକରେ ୭୧ ହଜାର ମାମଲା, ବିଶ୍ବବ୍ୟାପୀ ୧ ଲକ୍ଷ ୬୫ ହଜାର ଲୋକଙ୍କ ମୃତ୍ୟୁ

ଆମେରିକାରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଛୁଇଁଲା

ଜେନେଭା: ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀର ପ୍ରକୋପ ଜାରି ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ର ୮୧,୧୫୩ ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ମହାମାରୀରେ ୨୪ ଲକ୍ଷ ୫୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୮ ହଜାର ଛୁଇଁଛି। ତେବେ ଆଜି ସୁଦ୍ଧା ବିଶ୍ବବ୍ୟାପୀ ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣମୁକ୍ତ ହୋଇଥିବା ଜଣାପଡ଼ିଛି।

ଆମେରିକାରେ ସବୁଠାରୁ ଅଧିକ ୭ ଲକ୍ଷ ୬୦ ହଜାର ଲୋକ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ବେଳେ ଏଠାରେ ସ୍ଥିତି ଅତ୍ୟନ୍ତ ଜଟିଳ ଓ ଭୟାନକ ରହିଛି। ବିଶ୍ବରେ ଆମେରିକା ପ୍ରଥମ ଦେଶ ଯେଉଁଠି କରୋନାରେ ସବୁଠାରୁ ଅଧିକ ୪୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହର ଆମେରିକାରେ ସର୍ବାଧିକ ପ୍ରଭାବିତ ଅଂଚଳ ପାଲଟିଛି ଏବଂ ଏଠାରେ ୧୮,୫୦୦ ଲୋକଙ୍କ ମୃତ୍ୟୁ ଘଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ନ୍ୟୁୟର୍କ ରାଜ୍ୟରେ ୫୧୦ ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ଗଭର୍ଣ୍ଣର ରାଜ୍ୟରେ ୧୫ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ୟୁରୋପରେ ମଧ୍ୟ କରୋନା ଯୋଗୁଁ ମୃତ୍ୟୁର ତାଣ୍ଡବ ଜାରି ରହିଛି। ୟୁରୋପରେ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି ଏବଂ ଦେଶରେ ୧ ଲକ୍ଷ ୫୩ ହଜାର ଆକ୍ରାନ୍ତ ଅଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୩୯୫ ଲୋକଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ମୃତକଙ୍କ ସଂଖ୍ୟା ୨୦ ହଜାର ୫୦୦ ଅତିକ୍ରମ କରିଯାଇଛି। ସ୍ପେନ୍‌ରେ ଏବେ ପ୍ରାୟ ୨ ଲକ୍ଷ ଏବଂ ଇଟାଲିରେ ୧ ଲକ୍ଷ ୮୦ ହଜାର ଆକ୍ରାନ୍ତ ଅଛନ୍ତି । ଇଟାଲିରେ ୨୪ ହଜାର ଲୋକ କରୋନାରେ ପ୍ରାଣ ହରାଇଲେଣି। ଜର୍ମାନୀରେ କରୋନା ଯୋଗୁଁ ୪ ହଜାର ୫ ଶହ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର