ମହାରାଷ୍ଟ୍ରରେ ୭୧୪ଜଣ ପୁଲିସ କର୍ମଚାରୀ କୋଭିଡ୍-୧୯ ଦ୍ବାରା ସଂକ୍ରମିତ

ମହାରାଷ୍ଟ୍ର: ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜ୍ୟରେ ଅନ୍ୟୁନ ୭୧୪ ଜଣ ପୁଲିସ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହୋଇଥିବା କଥା ଶନିବାର ଦିନ ମହାରାଷ୍ଟ୍ର ପୁଲିସ ଉପସ୍ଥାପନ କରିଥିବା ତଥ୍ୟରୁ ଜଣାପଡ଼ିଛି। ଉପସ୍ଥାପିତ ୭୧୪ ସଂକ୍ରମଣରେ  ୬୪୮ଜଣ ସକ୍ରିୟ ସଂକ୍ରମଣ ଥିବା ବେଳେ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୫ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଏହାଛଡ଼ା ଲକ୍‌ଡାଉନ୍ ସମୟରେ ରାଜ୍ୟ ପୁଲିସ କର୍ମଚାରୀମାନଙ୍କ ଉପରେ ପ୍ରାୟ ୧୯୪ ଥର ଆକ୍ରମଣ ହୋଇଛି ଓ ୬୮୯ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରେ ଏହି ସବୁ ଆକ୍ରମଣ କରାଯାଇଥିବା ତଥ୍ୟବଳିରେ ଉଲ୍ଲେଖ କରାଯାଇଛି।

Image Source: New Indian Express

ମେ ୮ ତାରିଖ ଦିନ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ଯେ ରାଜ୍ୟରେ କୋଭିଡ୍-୧୯ ଲକ୍‌ଡାଉନ୍ ନିଷେଧାଦେଶ ଅମାନ୍ୟ ଘଟଣାରେ ପ୍ରାୟ ୯୮, ୭୭୪ଟି ମାମଲା ରୁଜୁ କରାଯାଇଛି ଓ ୧୯, ୦୮୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ହିଁ ସବୁଠାରୁ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଛି। ଏ ପର୍ଯ୍ୟନ୍ତ ଏଠାରେ ୧୯୦୦୦ରୁ ଅଧିକ ବ୍ୟକ୍ତି କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର