ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲୟାଲମ ସୁପରଷ୍ଟାର୍‌ ମୋହନଲାଲଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରିଛନ୍ତି। ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି। ୧୯୭୮ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ମୋହନଲାଲ ୪ ଦଶକର କ୍ୟାରିୟରରେ ୪୦୦ରୁ ଅଧିକ ସିନେମାରେ କାର୍ଯ୍ୟ କରିଛନ୍ତି। ଏଥିସହିତ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଶାହରୁଖଙ୍କୁ ‘ଯୱାନ’ ଏବଂ ବିକ୍ରାନ୍ତଙ୍କୁ ‘12th ଫେଲ୍‌’ ସିନେମା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି। ରାଣୀଙ୍କୁ ‘ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। ଶାହରୁଖ, ବିକ୍ରାନ୍ତ ଏବଂ ରାଣୀଙ୍କ ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଯୱାନ ସିନେମାର ‘ଚଲେୟା’ ଗୀତ ପାଇଁ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିଛି। ତେଲୁଗୁ ସିନେମା ବେବିର ଗୀତ ‘ପ୍ରେମିସ୍ତୁନା’ ପାଇଁ ପି ଭି ଏନ୍‌ ଏସ୍‌ ରୋହିତଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ମିଳିଛି। ସେହିପରି ରକି ଔର ରାନି କୀ ପ୍ରେମ୍‌ କାହାନିର ‘ଡିଣ୍ଡୋରା ବାଜେ ରେ’ ଗୀତ ପାଇଁ ବୈଭବୀ ମର୍ଚ୍ଚାଣ୍ଟଙ୍କୁ ଶ୍ରେଷ୍ଠ ନୃତ୍ୟନିର୍ଦ୍ଦେଶନା ପୁରସ୍କାର ମିଳିଛି। ହିନ୍ଦୀ ସିନେମା ଦି କେରଳ ଷ୍ଟୋରି ପାଇଁ ସୁଦିପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶ ପୁରସ୍କାର ଦିଆଯାଇଛି। 

Advertisment

ରାଣୀ ଶ୍ରେଷ୍ଠ ଅଭିନେତ୍ରୀ; ବିକ୍ରାନ୍ତ, ଶାହରୁଖ ଶ୍ରେଷ୍ଠ ଅଭିନେତା

ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ସାନ୍ୟା ମାଲହୋତ୍ରାଙ୍କ ‘କଟହଲ୍‌’କୁ ମିଳିଛି। ନିର୍ଦ୍ଦେଶକ ଯଶୋବର୍ଦ୍ଧନ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। କରନ ଜୋହରଙ୍କ ନିର୍ଦ୍ଦେଶିତ ରକି ଔର ରାନି କୀ ପ୍ରେମ୍‌ କାହାନିକୁ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି। ତାମିଲ ସିନେମା ‘ପାର୍କିଂ’ ପାଇଁ ମୁଥୁପେଟାଇ ସୋମୁ ଭାସ୍କର ଓ ମାଲାୟାଲମ ସିନେମା ‘କୋକାଲମ’ ପାଇଁ ବିଜୟରାଘବନଙ୍କୁ ଶ୍ରେଷ୍ଠ ସହ ଅଭିନେତା ଏବଂ ମାଲାୟାଲମ ସିନେମା ‘ଉଲୋଝୁକୁ’ ପାଇଁ ଉର୍ବଶୀ ଏବଂ ଗୁଜରାଟୀ ସିନେମା ‘ବଶ୍‌’ ପାଇଁ ଜାନ୍‌କି ବୋଡିୱାଲାଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। 

ହିନ୍ଦୀ ସିନେମା ‘ଆନିମଲ’ ପାଇଁ ସଚିନ ସୁଧା‌କରନ ଓ ହରିହରନ ମୁରଲୀଧରନଙ୍କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ, ମରାଠି ସିନେମା ‘ଆତ୍ମାପାମ୍ଫଲେଟ’ ପାଇଁ ଆଶିଷ ବେନ୍ଦେଙ୍କୁ ଶ୍ରେଷ୍ଠ ନୂଆ ନିର୍ଦ୍ଦେଶକ ଏବଂ ହିନ୍ଦୀ ସିନେମା ‘ସାମ ବାହାଦୂର’କୁ ଜାତୀୟ, ସାମାଜିକ ଓ ପରିବେଶ ମୂଲ୍ୟବୋଧର ପ୍ରସାର କରୁଥିବା ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ମରାଠି ସିନେମା ‘ନାଲ୍‌ ୨’କୁ ଶ୍ରେଷ୍ଠ ଶିଶୁ ସିନେମା ପୁରସ୍କାର ଦିଆଯାଇଛି। ଏଭିଜିସି ବର୍ଗରେ ତେଲୁଗୁ ସିନେମା ‘ହନୁ-ମାନ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ହିନ୍ଦୀ ସିନେମା ‘ଦି କେରଳ ଷ୍ଟୋରି’ ପାଇଁ ପ୍ରଶାନ୍ତନୁ ମହାପାତ୍ରଙ୍କୁ ଶ୍ରେଷ୍ଠ ସିନେମାଟୋଗ୍ରାଫ ପୁରସ୍କାର ମିଳିଛି। ‘ସିର୍ଫ ଏକ୍ ବନ୍ଦା କାଫି ହୈ’ ପାଇଁ ଦୀପକ କିଙ୍ଗରାନିଙ୍କୁ ଶ୍ରେଷ୍ଠ ଆଳାପ ପୁରସ୍କାର ପ୍ରଦାନ କରାଯାଇଛି। ତେଲୁଗୁ ସିନେମା ‘ଗାନ୍ଧୀ ତାଥା ଚେଟୁ’ ପାଇଁ ସୁକ୍ରିତି ବେଣୀ ବନ୍ଦ୍ରେଦି,  ମରାଠି ସିମୋ ‘ଜିପ୍‌ସି’ ପାଇଁ କବୀର ଖଣ୍ଡାରେ, ମରାଠି ସିନେମା ‘ନାଲ୍‌ ୨’ ପାଇଁ ତ୍ରିଷା ଥୋସର, ଶ୍ରୀନିବାସ କୋକାଲେ, ଭାର୍ଗବ ଜଗତାପଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।