ବ୍ୟାଙ୍କ ଅଧିକାରୀଙ୍କୁ ୭୨ କୋଟି ଠକେଇ ଉଦ୍ୟମ: ତିନି ଜଣଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଧିକାରୀଙ୍କୁ ୭୨ କୋଟି ଟଙ୍କା ଠକିବାକୁ ଉଦ୍ୟମ କରି ୩ ଜଣ ବ୍ୟକ୍ତି ଧରାପଡ଼ିଛନ୍ତି। ଦିଲ୍ଲୀ ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ୩ ଜଣ ବ୍ୟକ୍ତି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନାମରେ ଏକ ଜାଲ୍ ଚେକ୍ ନେଇ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଯାଇଥିଲେ। ଏମାନେ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଉକ୍ତ ଟଙ୍କାକୁ ଷ୍ଟେଟ ବ୍ୟାଙ୍କର ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପାଇଁ କହିଥିଲେ। ବ୍ୟାଙ୍କ ଅଧିକାରୀମାନେ ଉକ୍ତ ଚେକ୍‌ଟି ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ।

ଏତଲା ମୁତାବକ ନବୀନ ଶର୍ମା ନାମକ ବ୍ୟକ୍ତି ଆସି ଏହି ଚେକ୍ ଗତ ବୁଧବାର ଦାଖଲ କରିଥିଲେ। ନୂଆଦିଲ୍ଲୀ ମହାନଗର ନିଗମ ଆକାଉଣ୍ଟ ସହିତ କାରବାର କରୁଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଚେକ୍‌ଟି ସେମାନଙ୍କ ଦ୍ୱାରା ଦିଆଯାଇ ନାହିଁ ବୋଲି ଜାଣିବାକୁ ପାଇଥିଲେ। ଚେକ୍ ନେଇ ଯାଇଥିବା ନବୀନ ଶର୍ମା କହିଛନ୍ତି ଯେ ସେ ଭିପିନ୍ କୁମାର ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ଚେକ୍ ପାଇଛନ୍ତି। ଶର୍ମାଙ୍କ ସହ ରାହୁଲ କୁମାର ନାମକ ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କ ଏବଂ ପୁଲିସ ଏହି ତିନି ଜଣଙ୍କୁ ପଚରାଉଚରା କରିଥିଲେ। ପୁଲିସ ସେମାନଙ୍କ ନାମରେ ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ଆଦି ଅଭିଯୋଗରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର