‌୭୨ ତମ ସେନା ଦିବସ : ପ୍ରଥମ ଥର ପାଇଁ ପରେଡ୍‌ର ନେତୃତ୍ବ ନେଲେ ମହିଳା ଅଫିସର

ନୂଆଦିଲ୍ଲୀ : ଦେଶ ଆଜି ୭୨ତମ ସେନା ଦିବସ ପାଳନ କରିଛି। ସେନା ଦିବସ ପରେଡ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଫିସର କ୍ୟାପ୍‌ଟେନ ତାନିଆ ସୋର୍‌ଗିଲ୍‌ ପରେଡର ନେତୃତ୍ବ ନେଇଥିଲେ। ଭାରତୀୟ ସେନାର ଆଉ ଏକ ମହାନତା ସେନା ଦିବସରେ ଚର୍ଚ୍ଚାରେ ରହିଛି। ପ୍ରାୟ ୧୦୦ରୁ ଅଧିକ ସେନା ଯବାନ ପ୍ରବଳ ବରଫପାତ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର୍‌ରେ ବୋହି ଡାକ୍ତରଖାନା ନେଇଛନ୍ତି। କାଶ୍ମୀରରେ ଶାମିମା ନାମକ ଉକ୍ତ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଯବାନ କାନ୍ଧରେ ବୋହି ଡାକ୍ତରଖାନା ନେଇଥିଲେ। ସେନା ସହାୟତାରେ ଶାମିମା ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି। ଭାରତୀୟ ସେନାର ଚିନାର କର୍ପ‌୍ସ ଦ୍ବାରା ଏନେଇ ଏକ ଭିଡିଓ ପୋଷ୍ଟ୍‌ କରାଯାଇଛି। ଏହି ଭିଡିଓ ଆଜି ପ୍ରବଳ ବେଗରେ ଭାଇରାଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭିଡିଓକୁ ରିଟ୍ବିଟ୍ କରି ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ସେନାର ଏଭଳି କାର୍ଯ୍ୟ ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି। ଯେତେବେଳେ ସାଧାରଣ ଜନତା କିଛି ଅସୁବିଧାରେ ପଡ଼ନ୍ତି ଆମ ସେନା ଯାହା ବି ସମ୍ଭବ ତାହା କରନ୍ତି ବୋଲି ମୋଦୀ କହିଛନ୍ତି। ମୋଦୀ ମଧ୍ୟ ଶାମିମା ଏବଂ ତାଙ୍କ ଶିଶୁର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।

ସେନା ଦିବସରେ ଆଜି ସକାଳେ ସିଡିଏସ୍‌ ଜେନରାଲ ବିପିନ ରାୱତ, ସେନାମୁଖ୍ୟ ଜେନେରାଲ ଏମଏମ୍‌ ନରବଣେ, ବାୟୁସେନା ମୁଖ୍ୟ ଆର୍‌କେଏସ ଭଦୋରିଆ ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର