ନୂଆଦିଲ୍ଲୀ : ଏନ୍‌ସିଇଆର୍‌ଟି ପୁସ୍ତକରେ ପାଠ୍ୟକ୍ରମ ସଂ‌ଶୋଧନକୁ ବିରୋଧ କରି ୩୫ ଜଣ ଶିକ୍ଷାବିତ୍ ଚିଠି ଲେଖିଥିଲେ। ସେମାନଙ୍କ ମଧ୍ୟରେ ପାଠ୍ୟପୁସ୍ତକ ବିକାଶ କମିଟିର ମୁଖ୍ୟ ଉପଦେଷ୍ଟା ଯୋଗେଦ୍ର ଯାଦବ ଏବଂ ସୁହାସ ପଲ୍‌ସିକର ପ୍ରମୁଖ ଥିଲେ। ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ସଂଶୋଧନ କମିଟିରୁ ନାମ ବାଦ୍ ଦେବାଲାଗି ଏହି ୩୫ ଜଣ ବ୍ୟକ୍ତି ଚିଠି ଲେଖିବା ପରେ ଏବେ ୭୩ ଜଣ ଶିକ୍ଷାବିତ୍‌ ଏନ୍‌ସିଇଆର୍‌ଟି ସପକ୍ଷରେ ଏକ ଚିଠି ଲେଖିଛନ୍ତି। ସେମାନେ ୩୫ ଜଣ ବ୍ୟକ୍ତିଙ୍କ ଦ୍ବାରା ଲେଖାଯାଇଥିବା ଚିଠିକୁ ବିଦ୍ୟାଳୟ ପାଠ୍ୟକ୍ରମ ସଂଶୋଧନ ଏବଂ ଏନ୍‌ସିଇଆର୍‌ଟି ବିରୋଧରେ ଏକ ମିଛ ପ୍ରଚାର ବୋଲି ଦାବି କରିଛନ୍ତି।

Advertisment

ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ସମେତ ଅନେକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନେ ଉକ୍ତ ନୂଆ ଚିଠି ଲେଖିଛନ୍ତି। ସେମାନେ ମିଳିତଭାବେ ଜାରି କରିଥିବା ବିବୃତିରେ ଦର୍ଶାଇଛନ୍ତି ଯେ ସଂଶୋଧିତ ପାଠ୍ୟପୁସ୍ତକକୁ ଅଟକାଇବା ଅର୍ଥ ଛାତ୍ରଙ୍କ ଭବିଷ୍ୟତ ପ୍ରତି ବାଧକ ସାଜିବା। ବିରୋଧ କରୁଥିବା ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ ହେଲା ପିଲାମାନେ ନୂଆ ପରିବର୍ତ୍ତେ ୧୭ ବର୍ଷ ତଳର ପୁରୁଣା ବହି ପଢ଼ନ୍ତୁ। ବିରୋଧ କରୁଥିବା ଶିକ୍ଷାବିତ୍‌ମାନେ ସେମାନଙ୍କ ରାଜ‌ନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଦେଶର କୋଟି କୋଟି ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇବା ନିମନ୍ତେ ଉଦ୍ୟମ କରୁଛନ୍ତି ବୋଲି ୭୩ ବିଦ୍ବାନ ମତ ‌ରଖିଛନ୍ତି। ଗତ ୩ ମାସ ହେଲା ଏନ୍‌ସିଇଆର୍‌ଟିକୁ ନିନ୍ଦିତ କରିବା ଲାଗି ଜାଣିଶୁଣି ଉଦ୍ୟମ କରାଯିବା ସହିତ ପାଠ୍ୟକ୍ରମ ସଂଶୋଧନରେ ବ୍ୟାଘାତ ସୃଷ୍ଟି କରାଯାଉଥିବା ଏମାନେ କହିଛନ୍ତି।