ନୂଆଦିଲ୍ଲୀ: ମ୍ୟାମାରରେ ରୋହିଙ୍ଗ୍ୟାଙ୍କ ପ୍ରତି ହିଂସା ବଢ଼ିଛି ଏବଂ ୭ ଲକ୍ଷ ୩୦ ହଜାରରୁ ଅଧିକ ରୋହିଙ୍ଗ୍ୟା ଦେଶଛାଡ଼ି ପଳାଇଥିବା ରିପୋର୍ଟ ମିଳିଛି। ଅଧିକାଂଶ ରୋହିଙ୍ଗ୍ୟା ବାଂଲାଦେଶରେ ପ୍ରବେଶ କରିଥିବା ରିପୋର୍ଟ ମିଳିଛି। ଚାରିପାଖରେ ମୋର୍ଟାରରୁ ଗୁଳିମାଡ଼ ହେଉଥିବା ବେଳେ ରୋହିଙ୍ଗ୍ୟା ଶରଣାର୍ଥୀ ମୁସ୍ତାଫା କମଲ ଓ ତାଙ୍କ ପରିବାର ପଶ୍ଚିମ ମ୍ୟାମାରର ସେମାନଙ୍କ ସହରରେ ବିଦ୍ରୋହୀ ମିଲିସିଆର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଉପକୂଳବର୍ତ୍ତୀ ସହର ମୌଙ୍ଗଡୋରେ ଆକ୍ରମଣ ପରେ ଏକ ଛୋଟ ଦ୍ୱୀପରେ ଆଶ୍ରୟ ନେବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ ତାଙ୍କର ଜଣେ ପୁତୁରା ନୁର ସାଦେକଙ୍କ ସମେତ ଘଟଣାସ୍ଥଳରେ ଅନେକଙ୍କର ମୃତ୍ୟୁ ଘଟିଥିଲା ବୋଲି କମଲ କହିଛନ୍ତି। ଅନ୍ୟମାନେ ପଡ଼ୋଶୀ ବାଂଲାଦେଶରେ ପହଞ୍ଚିବା ପାଇଁ ପହଁରି ଆସିଥିଲେ। ତାଙ୍କ ପରିବାର ଅନେକ ନିର୍ଯାତିତ ମୁସଲମାନ ସଂଖ୍ୟାଲଘୁ ରୋହିଙ୍ଗ୍ୟାଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଶାସକ ଜୁଣ୍ଟା ଓ ଜାତିଗତ ଉଗ୍ରବାଦୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମ୍ୟାମାରର ରାଖାଇନ ରାଜ୍ୟରୁ ପଳାୟନ କରିଥିଲେ। ଉପକୂଳବର୍ତ୍ତୀ ସହର କକ୍ସ ବଜାର ବାହାରେ ଥିବା ଶରଣାର୍ଥୀ ଶିବିରରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପଳାୟନ କରିଥିବା ଜଣାପଡ଼ିଛି।
ମେଡିକାଲ ଦାତବ୍ୟ ସଂସ୍ଥା ମେଡିସିନ୍ ସାନ୍ସ ଫ୍ରଣ୍ଟିୟର୍ସ କହିଛି ଯେ ଏହାର ଡାକ୍ତରମାନେ ଗତ କିଛି ଦିନ ମଧ୍ୟରେ ହିଂସାଜନିତ ଆଘାତ ପାଇଁ ୫୪ ଜଣଙ୍କୁ ଚିକିତ୍ସା କରିଛନ୍ତି, ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ। ସଙ୍ଗଠନର ବାଂଲାଦେଶ ପ୍ରତିନିଧି ଓର୍ଲା ମର୍ଫି କହିଛନ୍ତି, ଆମେ ଅନେକ ଗୁଳିମାଡ଼ର ଶିକାର ହୋଇଥିବା ରୋଗୀଙ୍କୁ ଚିକିତ୍ସା କରିଥିଲୁ। ବିସ୍ଥାପିତ ରୋହିଙ୍ଗ୍ୟାମାନେ ଅତ୍ୟଧିକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ରୋହିଙ୍ଗ୍ୟାଙ୍କ ଏକ ପ୍ୟାନେଲର ଅଧ୍ୟକ୍ଷ କମଲ ହୁସେନ୍ କହିଛନ୍ତି। ସରକାର ଓ କ୍ୟାମ୍ପ କର୍ତ୍ତୃପକ୍ଷ ସେମାନଙ୍କ ଖାଦ୍ୟର ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଛନ୍ତି। କକ୍ସ ବଜାରରେ ରହୁଥିବା ବାଂଲାଦେଶ ଶରଣାର୍ଥୀ ରିଲିଫ ଅଧିକାରୀ ମହମ୍ମଦ ମିଜାନୁର ରେହମାନ କହିଛନ୍ତି ଯେ ଡ୍ରୋନ ଆକ୍ରମଣ ପରଠାରୁ ରୋହିଙ୍ଗ୍ୟାମାନେ ଅଧିକ ସଂଖ୍ୟାରେ ସୁରକ୍ଷା ଚାହୁଛନ୍ତି କିନ୍ତୁ କେତେ ଜଣ ସୀମା ଅତିକ୍ରମ କରିଛନ୍ତି ତାହା ସେ କହିନାହାନ୍ତି। ବାଂଲାଦେଶ ମ୍ୟାମାରରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗ୍ରହଣ କରିବା ସ୍ଥିତିରେ ନାହିଁ ବୋଲି ଦକ୍ଷିଣ ଏସୀୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ମହମ୍ମଦ ତୌହିଦ ହୁସେନ୍ ଗୁରୁବାର କହିଛନ୍ତି। ରାଖାଇନ୍ ରାଜ୍ୟରେ ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଆରାକାନ ସେନା ଉପରେ ଅଧିକ ଅନ୍ତର୍ଜାତୀୟ ଚାପ ପକାଇବାକୁ ହୁସେନ୍ ଆହ୍ୱାନ ଦେଇଛନ୍ତି।