ବିଦାୟୀ ସିଜେଆଇ ଲଳିତଙ୍କ ୭୪ ଦିନ ଓ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସିଧାସଳଖ ବାର୍‌ରୁ ସୁପ୍ରିମ୍‌କୋର୍ଟ ବେଞ୍ଚକୁ ପଦୋନ୍ନତି ପାଇବାରେ ଦ୍ବିତୀୟ ତଥା ଭାରତର ୪୯ତମ ପ୍ରଧାନବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତଙ୍କ ୭୪-ଦିନିଆ କାର୍ଯ୍ୟକାଳ ମଙ୍ଗଳବାର ପୂର୍ଣ୍ଣ ହୋଇଛି ଓ ସେ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ସ୍ବଳ୍ପଦିନର କାର୍ଯ୍ୟକାଳ ଭିତରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ମାମଲା ଶୁଣାଣିର ଲାଇଭ୍-ଷ୍ଟ୍ରିମିଂ ଓ ଶୁଣାଣି ପାଇଁ ମାମଲାଗୁଡ଼ିକର ତାଲିକାଭୁକ୍ତୀକରଣ (ଲିଷ୍ଟିଂ) ପଦ୍ଧତିରେ ପରିବର୍ତ୍ତନ ତାଙ୍କରି ସମୟରେ ହୋଇଛି।

୧୯୫୭ ନଭେମ୍ବର ୯ରେ ଜନ୍ମିତ ଜଷ୍ଟିସ୍ ଲଳିତ ୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ଅଗଷ୍ଟ ୨୭, ୨୦୨୨ରେ ୪୯ତମ ସିଜେଆଇ ଭାବେ ଶପଥ ନେଇଥିଲେ। ବାର୍‌ରୁ ବେଞ୍ଚକୁ ସିଧାସଳଖ ପଦୋନ୍ନତି ପାଇବାରେ ସେ ହେଉଛନ୍ତି ଦ୍ବିତୀୟ ପ୍ରଧାନ ବିଚାରପତି। ଜଷ୍ଟିସ୍ ଲଳିତଙ୍କ କାର୍ଯ୍ୟାଳୟରେ ଶେଷଦିନ ହିଁ ଅସଂରକ୍ଷିତ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିମନ୍ତେ ହୋଇଥିବା ୧୦୩ତମ ସମ୍ବିଧାନ ସଂଶୋଧନର ବୈଧତା ଉପରେ ଶୁଣାଣି ହୋଇଥିଲା। ବହୁମତରେ କୋର୍ଟ ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ। ସମ୍ବିଧାନ ବେଞ୍ଚର ୫ ଜଣ ବିଚାରପତିଙ୍କ ମଧ୍ୟରୁ ସପକ୍ଷରେ ୩ ଜଣ ଏବଂ ବିପକ୍ଷରେ ଜଷ୍ଟିସ୍ ଲଳିତଙ୍କ ସମେତ ୨ ଜଣ ମତ ଦେଇଥିଲେ। ଏହି ଶୁଣାଣିର ସିଧାସଳଖ ଟେଲିକାଷ୍ଟ କରାଯାଇଥିଲା। ସେପ୍ଟେମ୍ବର ୨୭ରୁ ଜଷ୍ଟିସ୍ ଲଳିତ ସମ୍ବିଧାନ ବେଞ୍ଚ ମାମଲାଗୁଡ଼ିକର ଶୁଣାଣିର ଲାଇଭ୍-ଷ୍ଟ୍ରିମିଂ ପାଇଁ ଆଦେଶ ଦେଇଥିଲେ।

୨୦୦୦ ଲାଲ କିଲ୍ଲା ଆକ୍ରମଣ ଘଟଣାରେ ଲସ୍କର ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଆସଫାକକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ସେ ଏହାର ପୁନଃସମୀକ୍ଷା ପାଇଁ ଆବେଦନ କରିଥିଲେ। ଜଷ୍ଟିସ୍ ଲଳିତଙ୍କ ନେତୃତ୍ବାଧୀନ ବେଞ୍ଚ ଆସଫାକର ଆବେଦନକୁ ଖାରଜ କରି ତା’ର ମୃତ୍ୟୁଦଣ୍ଡ ପାଇବାର ରାସ୍ତାକୁ ସଫା କରିଦେଇଛନ୍ତି। ତାଙ୍କ ନେତୃତ୍ବାଧୀନ ବେଞ୍ଚ ବହୁଚର୍ଚ୍ଚିତ କାର୍ଯ୍ୟକର୍ତ୍ତା ତିସ୍ତା ଶୀତଲୱାଡ ଓ କେରଳ ସାମ୍ବାଦିକ ସିଦ୍ଦିକ କାପ୍ପାନଙ୍କୁ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ୍ ଲଳିତଙ୍କ ନେତୃତ୍ବାଧୀନ ବେଞ୍ଚ ମଧ୍ୟ କୋର୍ଟ ଅବମାନନା ମାମଲାକୁ ଗୁରୁତ୍ବର ସହ ନେବା ସହିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ୯୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ନ ଶୁଝିବା ମାମଲାରେ ୪ ମାସର ଜେଲଦଣ୍ଡାଦେଶ ଦେଇଥିଲେ। ସେ ଭାରତୀୟ ବଂଶୋଦ୍ଭବ କେନିଆ ନାଗରିକଙ୍କୁ ଜାଲିଆତି ଓ ଠକେଇ ମାମଲାରେ ୨୫ ଲକ୍ଷ ଟଙ୍କାର ଜରିମାନା ସହ ୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାଛଡ଼ା ୭୪ ଦିନର କାର୍ଯ୍ୟକାଳରେ ଜଷ୍ଟିସ୍ ଲଳିତ ଅନେକ ମାମଲାର ଫୈସଲା କରିଛନ୍ତି।

ସମ୍ବନ୍ଧିତ ଖବର