ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରକାଶିତ ‘ପିଉ’ ରିସର୍ଚ୍ଚ ସେଣ୍ଟର ରିପୋର୍ଟରେ ଭାରତର ଗଣତନ୍ତ୍ର ଅନେକ ବିକଶିତ ଦେଶ ତୁଳନାରେ ଶ୍ରେଷ୍ଠ। ଚଳିତ ବର୍ଷ ୨୩ଟି ଦେଶରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ସର୍ଭେରେ ସାମିଲ ଥିବା ୭୪% ଭାରତୀୟ ଦେଶର ଗଣତନ୍ତ୍ର ଉପରେ ସନ୍ତୁଷ୍ଟ। ଏହା ଗଣତାନ୍ତ୍ରିକ ଅନୁମୋଦନରେ ଭାରତକୁ ବିଶ୍ୱସ୍ତରରେ ଦ୍ବିତୀୟ ସର୍ବୋଚ୍ଚ ସ୍ଥାନରେ ରଖିଛି। ପ୍ରଥମ ସ୍ଥାନରେ ଅଛି ସ୍ବିଡେନ ଓ ସନ୍ତୋଷ ହାର ୭୫%। ପ୍ରତିଶତ। ଅପରପକ୍ଷେ ଗ୍ରୀସ୍ ସର୍ବନିମ୍ନ ସନ୍ତୁଷ୍ଟି ସ୍ତର ରଖୁଛି ଏବଂ ଏହାର ମାତ୍ର ୧୯% ଲୋକ ସେମାନଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ଗ୍ରୀସ୍ର ଟିକେ ଉପରକୁ ଅଛି ଜାପାନ, ଯାହାର ସନ୍ତୁଷ୍ଟି ହାର ମାତ୍ର ୨୪%।
୨୩ଟି ଦେଶ ମଧ୍ୟରେ ଦ୍ୱିତୀୟ ସର୍ବାଧିକ: ସର୍ଭେ ରିପୋର୍ଟ
ପ୍ରଥମ ସ୍ଥାନରେ ସ୍ବିଡେନ
ବିଶେଷ କରି ଉଚ୍ଚ ଆୟକାରୀ ଦେଶମାନଙ୍କରେ ଅସନ୍ତୋଷର ମୂଳ ବିଷୟରେ ଏହି ରିପୋର୍ଟରେ ଅନୁସନ୍ଧାନ କରାଯାଇଛି। ଉଭୟ ଗଣତନ୍ତ୍ର ଓ ଅର୍ଥନୀତିକୁ ନେଇ ଭାରତୀୟମାନେ ଉଚ୍ଚ ସନ୍ତୋଷ ପ୍ରକାଶ କରିଥିବା ବେଳେ ଫ୍ରାନ୍ସ, ଗ୍ରୀସ୍, ଇଟାଲୀ, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶ ଉଭୟ କ୍ଷେତ୍ରରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ଭେ କରାଯାଇଥିବା ୨୩ଟି ଦେଶରେ ୫୮ ପ୍ରତିଶତ ବୟସ୍କ ସେମାନଙ୍କ ଗଣତନ୍ତ୍ର ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା ବିଶେଷକରି ୨୦୧୭ରେ ୪୯ ପ୍ରତିଶତ ସନ୍ତୋଷ ତୁଳନାରେ ଅଧିକ। କୋଭିଡ୍-୧୯ ମହାମାରୀ ପରଠାରୁ ସନ୍ତୁଷ୍ଟି ହାରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି।‘ପିଉ’ ରିସର୍ଚ୍ଚ ସେଣ୍ଟର ଜୋର ଦେଇ କହିଛି ଯେ ସମଗ୍ର ବିଶ୍ୱର ଲୋକମାନେ ଏବେ ବି ଗଣତନ୍ତ୍ରକୁ ଏକ ଭଲ ଶାସନ ବ୍ୟବସ୍ଥା ବୋଲି ବିବେଚନା କରନ୍ତି। ତେବେ ଅନେକ ଲୋକ ରାଜନୈତିକ ମହଲ ପ୍ରତି ନିରାଶ ହୋଇ ସରକାରରେ ସେମାନଙ୍କ ମତକୁ ଯଥେଷ୍ଟ ପ୍ରତିନିଧିତ୍ୱ ମିଳୁ ନ ଥିବା ଅନୁଭବ କରୁଛନ୍ତି। ଏହି ସର୍ଭେରେ ଗଣତନ୍ତ୍ର ସହିତ ସନ୍ତୋଷ ଏବଂ ସାମ୍ପ୍ରତିକ ନିର୍ବାଚନ ପ୍ରକ୍ରିୟା ବା ଅର୍ଥନୈତିକ ଧାରଣା ମଧ୍ୟରେ ଜଟିଳ ସମ୍ପର୍କ ଉପରେ ଆଲୋକପାତ କରାଯାଇଥିଲା।