ନୂଆଦିଲ୍ଲୀ: ୭୪ତମ ସାଧାରଣତନ୍ତ୍ର ଦିବସ ଦେଶବ୍ୟାପୀ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସ୍ବଦେଶୀ ଶକ୍ତିର ଭବ୍ୟ ପ୍ରଦର୍ଶନ ହୋଇଥିବା ବେଳେ ଭାରତର ସାଂସ୍କୃତିକ ବିବିଧତା ଓ ନାରୀଶକ୍ତିର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା କରିବା ପରେ ଜାତୀୟ ସଂଗୀତ ଗାନ ଏବଂ ୨୧ ବନ୍ଧୁକ ସଲାମୀ ସହ ଭବ୍ୟ ସମାରୋହ ଆରମ୍ଭ ହୋଇଥିଲା। ଏଥର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍‌ ସିସି ଯୋଗଦେଇ ଆଧୁନିକ ଭାରତର ଶକ୍ତି ଓ ସାମର୍ଥକୁ ଦେଖିଥିଲେ। ସମାରୋହସ୍ଥଳରେ ରାଷ୍ଟ୍ରପତି ଏବଂ ମୁଖ୍ୟ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଳେ।

Advertisment

ପ୍ରବଳ କୁହୁଡ଼ି ସତ୍ତ୍ବେ ଭାରତୀୟ ବାୟୁସେନାର ୪୫ଟି ବିମାନ ଫ୍ଲାଏ ପାଷ୍ଟ୍‌ରେ ଭାଗ ନେଇଥିଲେ। ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ର ମୁଖ୍ୟ ଆକର୍ଷଣ ଥିଲା ସ୍ବଦେଶୀ ଶକ୍ତି। ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ଆକର୍ଷଣୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୯୦ ମିନିଟ୍‌ର ପରେଡ୍‌ରେ ଡିଆର୍‌ଡିଓ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ, କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ଅନ୍ୟ ଯୁଦ୍ଧ ଉପକରଣ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ରାଜ୍ୟ ଏବଂ ମନ୍ତ୍ରାଳୟ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଇଥିଲା।

ଇଜିପ୍ଟରୁ ଆସିଥିବା ୧୪୪ ସୈନିକ ମାର୍ଚିଂ ଦଳ ପରେଡ୍‌ରେ ଭାଗନେବା ଅନ୍ୟତମ ଆକର୍ଷଣ ଥିଲା। ଏଥର ପରେଡ୍‌ ଦେଖିବା ପାଇଁ ପ୍ରଥମ ଧାଡ଼ିରେ ଭିଭିଆଇପିଙ୍କ ବଦଳରେ ଉଠା ଦୋକାନୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆସନ ମିଳିଥିଲା। ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଅନୀଲ ଚୌହାନ, ବାୟୁସେନା ମୁଖ୍ୟ ଭିଆର୍‌ ଚୌଧାରୀ, ନୌସେନା ମୁଖ୍ୟ ଆଡମିରାଲ ହରିକୁମାର ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉପସ୍ଥିତ ଥିଲେ।