ବିହାର ବିଜେପି ମୁଖ୍ୟାଳୟରେ କରୋନା, ୭୫ ସଂକ୍ରମିତ

ବିହାରରେ ୧୬ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ପାଟନା: ବିହାର ବିଜେପି ମୁଖ୍ୟାଳୟକୁ କରୋନା ଭାଇରସ୍‌ ଦୋହଲାଇ ଦେଇଛି। ମୁଖ୍ୟାଳୟରେ ପ୍ରାୟ ୭୫ ଜଣ ନେତା ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ବିହାର ବିଜେପି ବିଭାଗ ମୁଖ୍ୟ ସଂଜୟ ଜୟସ୍ବାଲ୍‌ କହିଛନ୍ତି, କେବଳ ୨୪ଟି ନମୁନା ପଜିଟିଭ୍‌ ଆସିଛି। ଏହା ରୢାପିଡ୍‌ ଟେଷ୍ଟ୍‌ରୁ ଜଣାପଡ଼ିଛି ଏବଂ ଆରପିଆର ଟେଷ୍ଟ୍‌ ରିପୋର୍ଟ‌୍‌କୁ ଅପେକ୍ଷା କରାଯାଇଛି। ଯେଉଁମାନେ ବି କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କଠାରେ କରୋନା ଭାଇରସ୍‌ର କୌଣସି ଲକ୍ଷଣ ନାହିଁ। ୧୧୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ବିଜେପିର ରାଜ୍ୟ ଉପସଭାପତି ରାଧା ମୋହନ ଶର୍ମା ଏବଂ ରାଜେଶ ଶର୍ମା, ରାଜ୍ୟ ସାଧାରଣ ସଚିବ ଦେବେଶ କୁମାର ଏବଂ ରାଜ୍ୟ ସାଧାରଣ ସଚିବ ନଗେନ୍ଦ୍ର ଅଛନ୍ତି। ଅଫିସ୍‌କୁ ସିଲ୍‌ କରି ସାନିଟାଇଜ୍‌ କରାଯାଇଛି ଏବଂ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ କୁହାଯାଇଛି।

ବିହାରରେ ୧୬ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌
ପାଟନା : ବିହାରରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିଯିବାରୁ ରା‌ଜ୍ୟରେ ଜୁଲାଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୬ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆଜି ଏହା ଘୋଷଣା କରିଛନ୍ତି। ସମସ୍ତ ପୌରାଞ୍ଚଳ, ଜିଲ୍ଲା, ସବ୍‌ ଡିଭିଜନାଲ୍‌ ଏବଂ ବ୍ଲକ୍‌ ହେଡ୍‌କ୍ବାର୍ଟର ସ୍ତରରେ ଲକ୍‌ଡାଉନ୍‌ ଜାରି ହେବ। ବିହାରରେ ଆଜି ୧୪୩୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ମାମଲା ୨୦ ହଜାର ନିକଟବର୍ତ୍ତୀ ହୋଇଛି। ତେଣୁ ସଂକ୍ରମଣ ରୋକିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ବାଣିଜ୍ୟିକ ଏବଂ ଘରୋଇ ସଂସ୍ଥା ,ଶିକ୍ଷାନୁଷ୍ଠାନ, ତାଲିମ, ଗବେଷଣା ଏବଂ କୋଚିଂ ଅନୁଷ୍ଠାନ, ସମସ୍ତ ଧାର୍ମିକ ପୀଠ ଏବଂ ସମସ୍ତ ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ମନୋରଂଜନ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର