ଦେଶର ୭୫% ଜିଲ୍ଲା ପାଗ ଦ୍ବାରା ଭୀଷଣ ପ୍ରଭାବିତ

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ମାସରୁ ଭାରତ ଅଭୂତପୂର୍ବ ମହାମାରୀ କୋଭିଡ୍‌-୧୯ର ମୁକାବିଲା କରି ଆସୁଛି। ମହାମାରୀ ମଧ୍ୟରେ ଦେଶ ମଧ୍ୟ ଅମ୍ଫାନ୍‌, ନିଶାର୍ଗ ଏବଂ ନିବାର ପରି ସାମୁଦ୍ରିକ ବାତ୍ୟାକୁ ସାମନା କରିଛି ଯାହା କି ବ୍ୟାପକ ଭାବରେ ଜୀବନ ଜୀବିକାକୁ ବିପନ୍ନ କରିଦେବା ସହ ପ୍ରଭୂତ କ୍ଷତି ସାଧନ କରିଛି। ତେବେ ନିକଟରେ ଶକ୍ତି, ପରିବେଶ ଓ ଜଳ ପରିଷଦ(ସିଇଇଡବ୍‌ଲ୍ୟୁ) ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଦେଶର ୭୫ ପ୍ରତିଶତ ଜିଲ୍ଲା ଏବଂ ଅର୍ଦ୍ଧାଧିକ ବାସଗୃହ ବିଭିନ୍ନ ପ୍ରକାର ଜଳବାୟୁ ଦୁର୍ବିପାକ ଦ୍ବାରା ପ୍ରଭାବିତ ବୋଲି ଜଣାଯାଇଛି। ସିଇଇଡବ୍‌ଲ୍ୟୁର ଏହି ଜିଲ୍ଲାସ୍ତରୀୟ ସର୍ବେକ୍ଷଣରେ ବାତ୍ୟା, ମରୁଡ଼ି, ବନ୍ୟା ସ୍ଥିତି ନେଇ ବିସ୍ତୃତ ଆକଳନ କରାଯାଇଛି। ସେଥିରୁ ଯାହା ଜଣାପଡ଼ିଛି, ୧୯୭୦ ମସିହା ପରଠାରୁ ବନ୍ୟାର କ୍ଷିପ୍ରତା ୮ ଗୁଣ ବଢ଼ିଯିବା ସହ ଏହା ସହିତ ଜଡ଼ିତ ଭୂସ୍ଖଳନ, ବରଫ ମାଡ଼ ଏବଂ ବାଦଲଫଟା ବର୍ଷା ଆଦି ପ୍ରକ୍ରିୟା ୨୦ ଗୁଣ ବୃଦ୍ଧି ପାଇଛି।

୨୦୧୦ ମସିହା ପରଠାରୁ ବାତ୍ୟା ସହ ସଂଶ୍ଳିଷ୍ଟ ଦୁର୍ବିପାକ ପ୍ରକ୍ରିୟାଗୁଡ଼ିକ ଆଠ ଗୁଣ ବଢ଼ିଛି। ଅପରପକ୍ଷେ, ୨୦୦୫ ପରଠାରୁ ମରୁଡ଼ି ପ୍ରଭାବିତ ଜିଲ୍ଲାର ହାରାହାରି ସଂଖ୍ୟା ବର୍ଷକୁ ୧୩ ଗୁଣ ବୃଦ୍ଧି ପାଇଛି। ସେହିପରି ଏହି ସବୁ ଚରମ ଦୁର୍ବିପାକଗୁଡ଼ିକର ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଥିବା ଜଣାଯାଇଛି। ଉଦାହରଣ ସ୍ବରୂପ, ଭାରତର ୪୦ ପ୍ରତିଶତରୁ ଅଧିକ ଜିଲ୍ଲାରେ ରହିଥିବା ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକ ଧୀରେ ଧୀରେ ମରୁଡ଼ି ପ୍ରବଣ ଏବଂ ମରୁଡ଼ିପ୍ରବଣ ଇଲାକାଗୁଡ଼ିକ ବନ୍ୟାପ୍ରବଣକୁ ପରିବର୍ତ୍ତନ ହୋଇଥିବା ଦେଖାଯାଇଛି। ତେବେ ଉଭୟ କ୍ଷେତ୍ରରେ କ୍ଷତି ସହିବା ହିଁ ସାର ହୋଇଛି। ଭାରତର ୭୫ ପ୍ରତିଶତ ଜିଲ୍ଲାରେ ହିଁ ଦେଶର ୬୪ କୋଟି ପାଖାପାଖି ଲୋକ ବସବାସ କରୁଛନ୍ତି ଯେଉଁ ଅଞ୍ଚଳଗୁଡ଼ିକ ଅତିମାତ୍ରାରେ ପାଗ ଦ୍ବାରା କ୍ଷତିଗ୍ରସ୍ତ ଇଲାକା ଭାବେ ବିବେଚିତ। ତେବେ ସିଇଇଡବ୍‌ଲ୍ୟୁ ଦ୍ବାରା କରାଯାଇଥିବା ୫୦ ବର୍ଷର ସର୍ବେକ୍ଷଣରେ ୧୯୭୦ରୁ ୨୦୦୫ ମସିହା ମଧ୍ୟରେ ୨୫୦ଟି ଅତିଶୟ ଦୁର୍ବିପାକ ସଂଘଟିତ ହୋଇଥିବା ଜଣାଯାଇଛି। ସେହିପରି ୨୦୦୫ ମସିହା ପରେ ଦେଶ ୩୧୦ଟି ସେ ପ୍ରକାର ଦୁର୍ବିପାକ ଓ ସଂଶ୍ଳିଷ୍ଟ ପ୍ରକ୍ରିୟାକୁ ସାମନା କରିଛି। ଏହି ପ୍ରକ୍ରିୟା ମଧ୍ୟରେ ଗ୍ରୀଷ୍ମ ଲହରୀ ଓ ଶୀତ ଲହରୀ ପରି ମନ୍ଥର ଘଟଣାବଳୀ ରହିଛି।

ଅପରପକ୍ଷେ, ୨୦୦୫ ପରେ ଅନେକ ଜିଲ୍ଲା ଲଗାତାର ଭୀଷଣ ବନ୍ୟାର ସମ୍ମୁଖୀନ ହୋଇଛନ୍ତି, ଯେଉଁଥିରେ ବାର୍ଷିକ ୯.୭୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ୨୦୦୫ ମସିହାରେ ହିଁ ୧୪୦ଟି ବନ୍ୟା ୬୯ଟି ଜିଲ୍ଲାକୁ ଛାରଖାର କରିଦେଇଥିଲା। ୨୦୧୯ ମସିହାରେ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୫୧ରେ ପହଞ୍ଚିଥିଲା। ଅପରପକ୍ଷେ, ଗତ ୧୫ ବର୍ଷହେଲା ୭୯ଟି ଜିଲ୍ଲାରେ ମରୁଡ଼ିର କଷାଘାତ ଦେଖିବାକୁ ମିଳିଛି ଯେଉଁଥିରେ ବାର୍ଷିକ ହାରାହାରି ୧୪ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଗତ ୧୦ ବର୍ଷ ଭିତରେ ୨୫୮ଟି ଜିଲ୍ଲାରେ ବାତ୍ୟା ଦେଖାଯାଇଛି। ସେହି ବାତ୍ୟାପ୍ରବଣ ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, ଚେନ୍ନାଇ, ନେଲୋର, ଉତ୍ତର ୨୪ ପ୍ରଗଣା, ଗଞ୍ଜାମ, କଟକ, ପୂର୍ବ ଗୋଦାବରୀ ଏବଂ ଶ୍ରୀକାକୁଲମ୍‌ ଆଦି ରହିଛି। ଏହି ସବୁ ଜିଲ୍ଲା ଦେଶର ପୂର୍ବତଟରେ ହିଁ ଅବସ୍ଥିତ।

ସମ୍ବନ୍ଧିତ ଖବର