ପାଟନା: ବିହାରରେ ସଂରକ୍ଷଣ ସୀମା ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ସଂକ୍ରାନ୍ତ ସଂରକ୍ଷଣ ବିଲ୍ ଆଜି ବିଧାନସଭାରେ ଗୃହୀତ ହୋଇଛି। ସୁପ୍ରିମ୍କୋର୍ଟ ୧୯୯୨ରେ ଜାତି ଆଧାରିତ ସଂରକ୍ଷଣକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ସୀମା ନିର୍ଦ୍ଧାରଣ କରିଥିବା ବେଳେ ବିହାର ଆଜି ଏହି ସୀମା ଅତିକ୍ରମ କରି ଯଥେଷ୍ଟ ଆଗକୁ ବଢ଼ିଯାଇଛି। ବିହାର ବିଧାନସଭାରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ଅତ୍ୟନ୍ତ ପଛୁଆ ବର୍ଗ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣର ବର୍ତ୍ତମାନ ସୀମା ୫୦ ପ୍ରତିଶତକୁ ବଢ଼ାଇ ୬୫ ପ୍ରତିଶତ କରାଯିବା ପ୍ରସ୍ତାବକୁ ମଂଜୁରି ମିଳିଯାଇଛି। ଏହା ସହିତ କେନ୍ଦ୍ରର ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲୁଏସ୍) କୋଟାକୁ ମିଶାଇ ମୋଟ ସଂରକ୍ଷଣ ୭୫ ପ୍ରତିଶତରେ ପହଞ୍ଚିଛି। ଶିକ୍ଷଣ ସଂସ୍ଥାନ ଏବଂ ସରକାରୀ ଚାକିରିରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବଢ଼ାଇବା ସଂକ୍ରାନ୍ତ ବିଲ୍ ବିଧାନସଭାରେ ବାଚନିକ ଭୋଟ୍ରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।
ଏହି ବିଲ୍ରେ ଥିବା ପ୍ରାବଧାନ ଅନୁଯାୟୀ ଏସ୍ଟି ସଂପ୍ରଦାୟ ପାଇଁ ସଂରକ୍ଷଣ ଦୁଇଗୁଣ କରାଯାଇଛି ଏବଂ ଏସ୍ସି ପାଇଁ ପୂର୍ବରୁ ଥିବା ୧୬ ପ୍ରତିଶତକୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି। ଇବିସି ପାଇଁ ସଂରକ୍ଷଣ ୧୮ ପ୍ରତିଶତରୁ ବଢ଼ାଇ ୨୫ ପ୍ରତିଶତ କରାଯାଇଥିବା ବେଳେ ଓବିସି ପାଇଁ ସଂରକ୍ଷଣ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଯାଇଛି। ଜାତିଗତ ଜନଗଣନାକୁ ନେଇ ଚର୍ଚ୍ଚାରେ ରହିଥିବା ବିହାର ଆଜି ସଂରକ୍ଷଣ ସୀମାକୁ ୭୫ ପ୍ରତିଶତରେ ପହଞ୍ଚାଇଥିବାରୁ ଆଗକୁ ରାଜ୍ୟରେ ଜାତିଆଣ ରାଜନୀତି ବ୍ୟାପକ ରୂପ ନେବ ବୋଲି କୁହାଯାଉଛି। ବିହାରର ୧୩.୧ କୋଟି ଲୋକଙ୍କ ମଧ୍ୟରୁ ୩୬ ପ୍ରତିଶତ ଅତ୍ୟନ୍ତ ପଛୁଆ ଶ୍ରେଣୀର ଏବଂ ୨୭ ପ୍ରତିଶତ ପଛୁଆ ଶ୍ରେଣୀର ବୋଲି ଜାତି ଜନଗଣନା ରିପୋର୍ଟରୁ ଜଣାପଡ଼ିଛି।