୭୫ ହଜାର ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥା ଦ୍ୱାରା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି: ମନ୍ତ୍ରୀ ପୀୟୂଷ ଗୋୟଲ

ନୂଆଦିଲ୍ଲୀ : କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଂଟନ ଓ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତରେ ଅଦ୍ୟାବଧି ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି। ଉଦ୍ୟୋଗ ଓ ଅନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ। ଭାରତ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ତାକୁ ଆହୁରି ଗତି ପ୍ରଦାନ କରୁଛି ବୋଲି ମନ୍ତ୍ରୀ କହିଥିଲେ।

ଗୋୟଲ କହିଥିଲେ ଯେ, ୨୦୧୫ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଲାଲ୍‌କିଲ୍ଲା ଉଦ୍‌ବୋଧନରେ ଏକ ନୂତନ ଭାରତର ପରିକଳ୍ପନା କରିଥିଲେ, ଯାହା ଦେଶବାସୀଙ୍କ ଉଦ୍ୟମଶୀଳତାକୁ ଜାଗ୍ରତ କରିଛି। ପରବର୍ତୀ ବର୍ଷ ଜାନୁଆରୀ ୧୬ରେ, ଯାହାକୁ ଏବେ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ରୂପେ ଘୋଷଣା କରାଯାଇଛି, ଦେଶରେ ଷ୍ଟାର୍ଟଅପ୍‌ ଏବଂ ନବସୃଜନକୁ ସହାୟତା କରିବା ପାଇଁ ଯୋଜନା ଆରମ୍ଭ କରାଯାଇଥିଲା। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ଯେ, ଯେଉଁଠାରେ ୧୦ ହଜାର ଷ୍ଟାର୍ଟଅପ୍‌କୁ ୮୦୮ ଦିନରେ ମାନ୍ୟତା ମିଳିଥିଲା, ସେଠାରେ ଏବେ ୧୦ ହଜାର ଷ୍ଟାର୍ଟଅପ୍‌କୁ ମାତ୍ର ୧୫୬ ଦିନରେ ମାନ୍ୟତା ମିଳିଛି। ଏହି ହିସାବରେ ପ୍ରତିଦିନ ୮୦ରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ଦିଆଯାଉଛି। ଏହି ହାର ବିଶ୍ୱରେ ସର୍ବାଧିକ। ଏଥିରୁ ଜଣା ପଡୁଛି ଯେ, ଷ୍ଟାର୍ଟଅପ୍‌ ସଂସ୍କୃତିର ଭବିଷ୍ୟତ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଉତ୍ସାହବର୍ଦ୍ଧକ ବୋଲି ମନ୍ତ୍ରୀ କହିଥିଲେ।

ମୋଟ୍ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‌ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଆଇଟି ସେବା କ୍ଷେତ୍ରର ହୋଇଥିବା ବେଳେ, ୯% ସ୍ୱାସ୍ଥ୍ୟ ସୁବିଧା ଏବଂ ଜୀବବିଜ୍ଞାନ କ୍ଷେତ୍ରର, ୭% ଶିକ୍ଷା କ୍ଷେତ୍ରର, ୫% ପ୍ରତିଶତ ବୃତ୍ତିଗତ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରର ଏବଂ ୫% କୃଷି ସହିତ ସମ୍ବନ୍ଧିତ। ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥା ଦ୍ୱାରା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ଗୋୟଲ କହିଥିଲେ।

ସମ୍ବନ୍ଧିତ ଖବର