୭୫% ମତଦାନ ମଧ୍ୟପ୍ରଦେଶ, ମିଜୋରାମରେ ଭୋଟହାର ଅଧିକ

ଭୋପାଳ/ଆଇଜଲ: ମଧ୍ୟପ୍ରଦେଶ ଏବଂ ମିଜୋରାମ ବିଧାନସଭା ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଓ ମିଜୋରାମର ୪୦ଟି ଆସନ ପାଇଁ ‌ଆଜି ଭୋଟଦାନ ହୋଇଥିଲା। ନିର୍ବାଚନ କମିସନ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରେ ୭୫ ପ୍ରତିଶତ ମତଦାନ ହୋଇଛି। ୨୦୧୩ ନିର୍ବାଚନ ତୁଳନାରେ ଚଳିତ ଥର ଅଧିକ ସଂଖ୍ୟକ ଭୋଟର ସେମାନଙ୍କ ମତଦାନ ଏଠାରେ କରିଛନ୍ତି। ୨୦୧୩ରେ ୭୨.୭ ପ୍ରତିଶତ ‌ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମିଜୋରାମରେ ସଂଧ୍ୟା ୫ଟା ସୁଦ୍ଧା ୭୫ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ତେବେ ଗତ ୨୦୧୩ ନିର୍ବାଚନରେ ମିଜୋରାମରେ ୮୩.୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ। ନିର୍ବାଚନରେ ବିଜୟୀ ହୋଇ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଲାଗି ଉଦ୍ୟମ କରୁଥିବାବେଳେ କଂଗ୍ରେସ ଏଠାରେ କ୍ଷମତାକୁ ଫେରିବା ଲାଗି ଆପ୍ରାଣ ଚେଷ୍ଟା କରୁଛି। ମିଜୋରାମରେ କଂଗ୍ରେସ ୨୦୦୮ ମସିହାରୁ କ୍ଷମତାରେ ରହିଥିବାବେଳେ ବିଜେପି ଏଠାରେ ଚଳିତ ଥର ସରକାର ଗଢ଼ିବାକ୍ୁ ଆଶା ବାନ୍ଧିଛି। ନିର୍ବାଚନବେଳେ କୌଣସି ସ୍ଥାନରେ ବଡ଼ ଧରଣର ହିଂସା ଘଟିଥିବା ସମ୍ବାଦ ମିଳି ନଥିବାବେଳେ ମେସିନ ଖରାପ ଓ ଅନ୍ୟାନ୍ୟ କାରଣ ଯୋଗୁ କେତେକ ସ୍ଥାନରେ ମତଦାନ ବିଳମ୍ବିତ ହୋଇଛି। ମଧ୍ୟପ୍ରଦେଶ ଓ ମିଜୋରାମ ସମେତ ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ର ନିର୍ବାଚନ ଫଳାଫଳ ଆସନ୍ତା ୧୧ ତାରିଖରେ ଘୋଷଣା ହେବ।

ସମ୍ବନ୍ଧିତ ଖବର