ହିରୋସୀମା ବିଭୀଷିକାର ୭୫ ବର୍ଷ ପରେ, ଆଣବିକ ଭୟ ଯାଇନି

ନୂଆଦିଲ୍ଲୀ: ୭୫ ବର୍ଷ ତଳେ ୧୯୪୫ ଅଗଷ୍ଟ ୧୫ରେ ଜାପାନ ଆତ୍ମସମର୍ପଣ ପାଇଁ ରାଜି ହେବା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା। ତେବେ ତାହାର ନଅ ଦିନ ଆଗରୁ(ଅଗଷ୍ଟ ୬) ଆମେରିକା ଆକାଶ ମାର୍ଗରୁ ଦୁଇ ଜାପାନୀ ସହର ହିରୋସୀମା ଓ ନାଗାସାକି ଉପରେ ଦୁଇଟି ପରମାଣୁ ବୋମା ନିକ୍ଷେପ କରିଥିଲା। ଏଥିରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ସହର ଦୁଇଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିଲା। ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିବା ଏହି ବିଭୀଷିକା ଯୁଦ୍ଧର ଶୈଳୀକୁ ଏପରି ବଦଳାଇ ଦେଇଥିଲା ଯେ ଏହା ପରେ ଆହୁରି ୮ଟି ଦେଶ ପରମାଣୁ ବୋମା ନିର୍ମାଣ କରିବାକୁ ପସନ୍ଦ କରିବା ସହ ସମର୍ଥ ମଧ୍ୟ ହୋଇଛନ୍ତି। ଏ ଦିଗରେ ନୂତନ ପରମାଣୁ ଶକ୍ତିସଂପନ୍ନ ରାଷ୍ଟ୍ରମାନେ ଅଧିକରୁ ଅଧିକ ପରମାଣୁ ଅସ୍ତ୍ର ଠୁଳ କରି ଚାଲିଥିବା ବେଳେ ରୁଷିଆ ଓ ଆମେରିକା ପରି ବିପୁଳ ଅସ୍ତ୍ରଗଦା ଉପରେ ବସି ରହିଛନ୍ତି। ଅପରପକ୍ଷେ, ୧୯୪୫ ମସିହାରେ ବ୍ୟବହୃତ ପରମାଣୁ ବୋମାଠାରୁ ଏବେକାର ପ୍ରସ୍ତୁତ ଯୁଦ୍ଧାସ୍ତ୍ର ଆହୁରି ଭୟଙ୍କର ଓ ଘାତକ ବୋଲି ଅନେକ ଅନୁଭବ କରୁଛନ୍ତି। ତଥାପି ଏପରି ଚାଲିଥିବା ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକ ପରମାଣୁ ଯୁଦ୍ଧରେ ବିଜୟୀ ହେବା ପାଇଁ ପ୍ରୋତ୍ସାହିତ କରିଚାଲିଛି। ଫଳରେ ହିରୋସୀମା ବିଭୀଷିକା ପରଠାରୁ ଦୀର୍ଘ ୭୫ ବର୍ଷ ହେଲା ଏହି ପରମାଣୁ ବୋମା ଗଣସଂହାରରେ ବ୍ୟବହୃତ ହୋଇନଥିଲେ ହେଁ ଏହାର ମୂଳୋତ୍ପାଟନ ପାଇଁ ଦୃଢ଼ ସାମୂହିକ ପଦକ୍ଷେପ ନଥିବାରୁ କୌଣସି ବି ସମୟରେ ଏହା ସଂଘଟିତ ହେବାର ଆଶଙ୍କା ବିଶ୍ବବାସୀଙ୍କୁ ଏକ ଅଜଣା ଆତଙ୍କରେ ନିମଗ୍ନ କରି ରଖିଛି।

ମାନବ ସମାଜର ବିଲୋପନକୁ ଆହ୍ବାନ କରୁଥିବା ଏହି ପରମାଣୁ ବୋମାର ଭୟାବହତାକୁ ଦୃଷ୍ଟିରେ ରଖି ସତୁରି ଦଶକର ପ୍ରାରମ୍ଭରେ ଶକ୍ତିଶାଳୀ ରାଷ୍ଟ୍ରମାନେ ଅସ୍ତ୍ର ଉତ୍ପାଦନରେ ହ୍ରାସ ଲାଗି ରାଜିନାମା ସ୍ବାକ୍ଷର କରିଥିଲେ। ସେହିପରି ଅଶୀ ଦଶକରେ ଗଚ୍ଛିତ ଥିବା ପରମାଣୁ ଯୁଦ୍ଧାସ୍ତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିନାଶ ପାଇଁ ଆମେରିକା ରାଷ୍ଟ୍ରପତି ରୋନାଲ୍‌ଡ ରିଗାନ ଓ ସୋଭିଏତ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚୋଭ୍‌ ଚୁକ୍ତି କରିଥିଲେ। ମାତ୍ର ନବେ ଦଶକରେ ସୋଭିଏତ ସଂଘ ଭୁଶୁଡ଼ି ପଡ଼ିବାରୁ ଏହି ପ୍ରକ୍ରିୟା ଧିମେଇ ଯାଇଛି। ଆମେରିକା ପାଖରେ ୧୯୬୭ ବେଳକୁ ସର୍ବାଧିକ ୩୧,୨୫୫ଟି ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ଏବେ ତାହା ୩,୮୦୦କୁ ଖସି ଆସିଛି। ସେହିପରି ରୁଷିଆ ପାଖରେ ସମ୍ପ୍ରତି ୪,୩୧୦ଟି ଅନୁରୂପ ଯୁଦ୍ଧାସ୍ତ୍ର ସକ୍ରିୟ ରହିଛି। ଭାରତ ଓ ପାକିସ୍ତାନ ସମେତ ବର୍ତ୍ତମାନ ନଅଟି ଦେଶ ପାଖରେ ସାମଗ୍ରିକ ଭାବେ ଏପରି ୧୩,୧୪୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରମାନଙ୍କ ଭିତରୁ ଅନେକଙ୍କ ଭିତରେ ଲଗାତାର ବିବାଦ ଜାରି ରହିବା ଘଟଣା ସ୍ଥିତିକୁ ଆହୁରି ଗମ୍ଭୀର କରି ରଖିଛି।

ସମ୍ବନ୍ଧିତ ଖବର