ସ୍ବାଧୀନତା ଦିବସ: ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା; ୧୪୪ ଧାରା ଜାରି, ୧୦ ହଜାର ପୁଲିସ ମୁତୟନ

ଲାଲକିଲ୍ଲାରେ ୭ ହଜାର ଅତିଥି ଯୋଗଦେବେ

ନୂଆଦିଲ୍ଲୀ: ଦିନକ ପରେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ସ୍ବାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଲାଲ୍‌କିଲ୍ଲାକୁ ପ୍ରବେଶ ପଥରେ ଏଫ୍‌ଆର୍‌ଏସ୍‌ (ଫେସିଆଲ ରିକଗନିସନ ସିଷ୍ଟମ୍‌) କ୍ୟା‌ମେରା ଲଗା ହୋଇଛି। ଲାଲ୍‌କିଲ୍ଲାରେ ୧୦ ହଜାର ପୁଲିସ ମୁତୟନ ହେବେ । ଚଳିତ ବର୍ଷର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରାୟ ୭ ହଜାର ଆମନ୍ତ୍ରିତ ଅତିଥି ଯୋଗ ଦେବେ।

ଏସ୍‌ସିପି (ଆଇନ ଶୃଙ୍ଖଳା) ଦୀପେନ୍ଦ୍ର ପାଠକ କହିଛନ୍ତି, ଦିଲ୍ଲୀରେ ୧୪୪ ଜାରି ହୋଇ ସାରିଛି। ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ‌ଶେଷ ନହେବା ପର୍ଯ୍ୟନ୍ତ ଦିଲ୍ଲୀରେ ଗୁଡ଼ି ଉଡ଼ାଇବା ଏବଂ ବେଲୁନ ଉଡ଼ାଇବା ବନ୍ଦ ରହିଛି। ପୁଲିସ ମଧ୍ୟ ୪୦୦ରୁ ଅଧିକ କାଇଟ୍‌ କ୍ୟାଚର୍‌ ମୁତୟନ କରିଛି। ଲାଲ୍‌କିଲ୍ଲା ନିକଟସ୍ଥ ୫ କିମି ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍‌’ରେ ପରିଣତ କରାଯାଇଛି। ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ)ର ଆଣ୍ଟି ଡ୍ରୋନ ସିଷ୍ଟମ୍‌ ଏବଂ ଅନ୍ୟ ସୁରକ୍ଷା ବ୍ୟବସ୍ଥା ଦିଲ୍ଲୀରେ ମୁତୟନ ହୋଇଛି।। ଲାଲ୍‌କିଲ୍ଲା ନିକଟରେ ହାଇ ରିଜୋଲ୍ୟୁସନ ସିକ୍ୟୁରିଟି କ୍ୟାମେରା ଲାଗିଛି। ଦୁର୍ଗ ପରିସରକୁ ଟିଫିନ ବାକ୍ସ, ପାଣି ବୋତଲ, ରିମୋଟ କଣ୍ଟ୍ରୋଲ୍‌ କାର ଚାବି, ସିଗାରେଟ ଲାଇଟର, ବ୍ରିଫକେସ, ହ୍ୟାଣ୍ଡଗ୍ୟାଗ, କ୍ୟାମେରା, ବାଇନାକୁଲାର, ଛତା ଏବଂ ଏହିଭଳି ଅନ୍ୟାନ୍ୟ ସାମଗ୍ରୀକୁ ଅନୁମତି ନାହିଁ।

ଉତ୍ତର, କେନ୍ଦ୍ରୀୟ ଏବଂ ନୂଆ ଦିଲ୍ଲୀରେ ପ୍ରାୟ ୧ ହଜାର ହାଇ ସ୍ପେସିଫିକେସନ କ୍ୟାମେରା ଲାଗିଛି। ଲାଲ୍‌କିଲ୍ଲା ଅଭିମୁଖେ ଭିଭିଆଇପି ରୁଟ୍‌କୁ ଏହି କ୍ୟାମେରା ଯାଞ୍ଚ କରିବ। ଦିଲ୍ଲୀ ପୁଲିସ ମଧ୍ୟ ପା‌ଟ୍ରୋଲିଂ ଏବଂ ଆଣ୍ଟି ସାବୋଟେଜ ଚେକ୍‌ ବୃଦ୍ଧି କରିଛି। ହୋଟେଲ, ଗେଷ୍ଟହାଉସ ଏବଂ ପାର୍କିଂ ସ୍ଥଳଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୁଲିସ ଗତକାଲି ଆନନ୍ଦ ବିହାର ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲ ନିକଟରୁ ୨୦୦୦ରୁ ଅଧିକ ଲାଇଭ୍‌ କାଟ୍ରିଜ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର