କୋଟାର ଜେ କେ ଲୋନ୍ ହସ୍ପିଟାଲ୍ରେ ୨୪ ଦିନ ମଧ୍ୟରେ ୭୭ ଶିଶୁଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗକୁ ଅସ୍ପୀକାର କଲେ କର୍ତ୍ତୃପକ୍ଷ
କୋଟା: ରାଜସ୍ଥାନର କୋଟାଠାରେ ଥିବା ଜେ କେ ଲୋନ୍ ହସ୍ପିଟାଲ୍ରେ ଗତ ୨୪ ଦିନ ମଧ୍ୟରେ ୭୭ ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ମାସର ପ୍ରଥମ ୨୪ ଦିନରେ ୭୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ୧୦ ଜଣ ଶିଶୁଙ୍କ ଜୀବନ ଯାଇଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏ ନେଇ ତଦନ୍ତ ନିର୍ଦ୍ଦେଶ ହୋଇଛି।
ହସ୍ପିଟାଲ୍ର ଅବହେଳା ହେତୁ ଶିଶୁମାନଙ୍କ ମୃତ୍ୟୁ ଘଟୁଛି ବୋଲି ଅଭିଯୋଗ ହୋଇଥିବା ବେଳେ ହସ୍ପିଟାଲ୍ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ଶିଶୁମାନଙ୍କର ଅବସ୍ଥା ଗୁରୁତର ଥିବା ହେତୁ ସେମାନଙ୍କୁ ବଞ୍ଚାଇ ହେଉ ନାହିଁ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୪୮ ଘଣ୍ଟା ମଧ୍ୟରେ ୧୦ ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ ଉପରେ ଅବହେଳା ଅଭିଯୋଗ ଆସିବା ପରେ ହସ୍ପିଟାଲ୍ ପକ୍ଷରୁ କୁହଯାଇଛି କି ଶିଶୁମାନେ ଗୁୁରୁତର ଅବସ୍ଥାରେ ଭେଣ୍ଟିଲେଟର୍ରେ ଥିଲେ। କୌଣସି ବି ପରିସ୍ଥିତିରେ ସେମାନଙ୍କୁ ବଞ୍ଚାଇ ରଖିବା ଆୟତ୍ତାଧୀନ ନଥିଲା।

ହସ୍ପିଟାଲ୍ର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ‘ହସ୍ପିଟାଲରେ ଚିକିତ୍ସା ଅବହେଳା ହେତୁ କାହାରି ମୃତ୍ୟୁ ଘଟିନାହିଁ। ଯେଉଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି ତାହା ସହ ହସ୍ପିଟାଲ୍ ଅବହେଳାର କୌଣସି ସଂପର୍କ ନାହିଁ।’
ଜେ କେ ଲୋନ୍ ହସ୍ପିଟାଲ୍ର ଜନୈକ ଶିଶୁ ବିଶେଷଜ୍ଞଙ୍କ କହିବା କଥା ହେଲା, ‘ଏନ୍ଆଇସିୟୁ ରିପୋର୍ଟ ଅନୁସାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ଗ୍ରହଣୀୟ। କୋଟାର ଏହି ହସ୍ପିଟାଲ୍ର ମୃତ୍ୟୁ ୧୦ରୁ ୧୫ ପ୍ରତିଶତ ମଧ୍ୟରେ ରହିଛି।’