ଆମେରିକାରେ ଆତଙ୍କ: ଦିନକରେ ୭୭ ହଜାର ମାମଲା, ବ୍ରାଜିଲ୍‌ରେ ୨୦ ଲକ୍ଷ ଟପିଗଲା

ଆମେରିକା-ଭାରତ ରେକର୍ଡ କୋଭିଡ୍‌ ଟେଷ୍ଟ୍‌ କରିଛନ୍ତି: ହ୍ବାଇଟ୍‌ହାଉସ୍‌

ନୂଆଦିଲ୍ଲୀ: ଆମେରିକାରେ ଦୈନିକ ସଂକ୍ରମଣର ନୂଆ ରେକର୍ଡ ଆତଙ୍କ ଖେଳାଇ ଦେଇଛି। ଲଗାତାର ୧୦ ଦିନ ଧରି ଆମେରିକାରେ କ‌ରୋନା ସଂକ୍ରମଣ ମାମଲା ୫୫ ହଜାରରୁ ୬୫ ହଜାର ରହୁଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗି ଦେଇଛି। ଆମେରିକାରେ ଦିନକରେ ୭୭ ହଜାର ୨୧୭ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ୨୪ ଘଣ୍ଟାରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜୁନ୍‌ ୧୦ ତାରିଖରେ ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୯୬୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଫ୍ଲୋରିଡ଼ା, ଦକ୍ଷିଣ କାରୋଲିନା ଏବଂ ଟେକ୍ସାସ୍‌ରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି। ଆମେରିକାରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେଲାଣି। ଟେକ୍ସାସ୍‌ ଏବଂ ଆରିଜୋନାରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଶବ ରଖିବାକୁ ବି ଜାଗା ନାହିଁ। ଗତ ଏପ୍ରିଲରେ ଆମେରିକାରେ ଦେିକ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଥିଲା। ଦୈନିକ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଉଥିଲେ। ମେ’ ରେ ହାରାହାରି ୧୩୦୦ ଲୋକ ପ୍ରାଣ ହରାଇଲେ। ଜୁନ୍‌ରେ ଏହା ପୁଣି କମିଥିଲା। କିନ୍ତୁ ଜୁଲାଇରେ ପୁଣି ବଢ଼ିବା ଆରମ୍ଭ କରିଛି। ଗତକାଲି ଟେକ୍ସାସ୍‌ରେ ସର୍ବାଧିକ ୧୫ ହଜାର ନୂଆ ମାମଲା ଏବଂ ଫ୍ଲୋରିଡ଼ାରେ ୧୪ ହଜାର , କାଲିଫର୍ଣ୍ଣିଆରେ ୧୦ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଡ. ଆନ୍ଥୋନି ଫସି ଚେତାବନୀ ଦେଇ କହିଛନ୍ତି ଯେ, ଏହି ସଂଖ୍ୟା ଦିନକୁ ୧ ଲକ୍ଷ ଟପିପାରେ। ଯଦି ଆମେରିକୀୟମାନେ ଏକତ୍ରିତ ହୋଇ କରୋନା ଭାଇରସ୍‌ ବିରୋଧରେ କାମ ନ କରନ୍ତି ତେବେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ଫସି କହିଛନ୍ତି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୬ ଲକ୍ଷ ୯୬ ହଜାର ଟପିଯାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୧ ହଜାର ଟପିଛି। ବ୍ରାଜିଲ୍‌ରେ କରୋନା ସଂକ୍ରମଣ ମାମଲା ଆଜି ୨୦ ଲକ୍ଷ ଟପିଯାଇଛି। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୧୪ ହଜାର ୭୩୮ ରହିଛି ଏବଂ ମୃତ୍ୟୁସଂଖ୍ୟା ପ୍ରାୟ ୭୭ ହଜାର ରହିଛି। ପ୍ରତିଦିନ ବ୍ରାଜିଲ୍‌ରେ ପ୍ରାୟ ୧୦୦୦ ଜଣ କରୋନାରେ ପ୍ରାଣ ହାରୁଛନ୍ତି। ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୯ ଲକ୍ଷ ୬୪ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୫ ଲକ୍ଷ ୯୩ ହଜାର ଟପିଛି।

ଆମେରିକା-ଭାରତ ରେକର୍ଡ କୋଭିଡ୍‌ ଟେଷ୍ଟ୍‌ କରିଛନ୍ତି: ହ୍ବାଇଟ୍‌ହାଉସ୍‌
ୱାସିଂଟନ୍‌: ଆମେରିକା ଏବଂ ଭାରତ ରେକର୍ଡ କୋଭିଡ୍‌ ଟେଷ୍ଟ୍‌ କରିଛନ୍ତି। ଆମେରିକା ୪୨ ନିୟୁତ କୋଭିଡ୍‌ ‌ଟେଷ୍ଟ୍‌ କରିଥିବା ବେଳେ ଏହା ପଛକୁ ଭାରତ ୧୨ ନିୟୁତ କୋଭିଡ୍‌ ଟେଷ୍ଟ୍‌ କରିଛି। ଉଭୟ ରାଷ୍ଟ୍ର କୋଭିଡ୍‌ ‌ଟେଷ୍ଟିଂରେ ରେକର୍ଡ କରିଛନ୍ତି ବୋଲି ଆମେରିକା କହିଛି। ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଆମେରିକା ସର୍ବାଧିକ କୋଭିଡ୍‌ ଟେଷ୍ଟ୍‌ କରିଛି ଏବଂ ଏହାପରେ ଭାରତ ଅଧିକ ଟେଷ୍ଟ୍‌ କରିଛି। ଟେଷ୍ଟିଂ ଅଧିକ ରହିଥିବାରୁ ସଂକ୍ରମଣ ମାମଲା ମଧ୍ୟ ଅଧିକ ରହୁଛି। ଆମେରିକାରେ ୩୫ ଲକ୍ଷ କରୋନା ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷ ୩୮ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି ବୋଲି ହ୍ବାଇଟ୍‌ ହ‌ାଉସ୍‌ ପକ୍ଷରୁ କୁହାଯାଇଛି। ଆମେରିକା କେବଳ ଟେଷ୍ଟିଂରେ ଆଗୁଆ ନାହିଁ। ଭେଣ୍ଟିଲେଟର ଏବଂ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ଆଗୁଆ ରହିଛି। ଟିକା ପାଇଁ ଆମେରିକା କ୍ରମାଗତ ଉଦ୍ୟମ ଜାରି ରଖିଛି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର