୭୭ତମ ସ୍ବାଧୀନତା ଦିବସ: ୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର
ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ସରକାର ବଦ୍ଧପରିକର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦ୍ବୋଧନ ଦେଇଛନ୍ତି। ତାଙ୍କର ଉଦ୍ବୋଧନର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା-
ମଣିପୁର ପ୍ରସଙ୍ଗ
ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ପ୍ରସଙ୍ଗରେ ମୋଦୀ କହିଥିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଶାନ୍ତି ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛନ୍ତି। ସବୁ ବିବାଦର ସମାଧାନ ପାଇଁ ଶାନ୍ତି ହେଉଛି ଏକମାତ୍ର ରାସ୍ତା। କେମିତି ଶୀଘ୍ର ରାଜ୍ୟରେ ଶାନ୍ତି ଫେରିବ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏହାପରେ ସ୍ବାଧୀନତା ସଂଗ୍ରାମର ଇତିହାସ ଉପରେ ଆଲୋକପାତ କରି ମୋଦୀ କହିଥିଲେ କିପରି ବର୍ଷ ବର୍ଷ ଧରି ଉପନିବେଶୀୟ ଶାସନ ବିରୋଧରେ ଦେଶ ସଂଗ୍ରାମ କରୁଥିଲା।
ସ୍ବପ୍ନ ପୂରଣର ପ୍ରତିଜ୍ଞା
ଦେଶ କେମିତି ବିକାଶ ପଥରେ ଅଗ୍ରସର ହେବ ଏବଂ ନିଜର ସମସ୍ତ ସ୍ବପ୍ନ ପୂରଣ କରିବ ସେ ସମ୍ପର୍କରେ ମୋଦୀ ନିଜର ଭାବନା ବ୍ୟକ୍ତ କରିଥିଲେ। ସେ କହିଥିଲେ, ଆଜି ଆମ ପାଖରେ ଡେମୋଗ୍ରାଫି (ଜନସଂଖ୍ୟା), ଡେମୋକ୍ରାସି (ଗଣତନ୍ତ୍ର) ଓ ଡାଇଭର୍ସିଟି (ବିବିଧତା) ଅଛି- ଦେଶର ସ୍ବପ୍ନଗୁଡ଼ିକ ସାକାର କରିବା ପାଇଁ ଏହି ତିନୋଟି ହେଉଛି ଗୁରୁତ୍ବପୂର୍ଣ୍ଣ। ଦେଶର ଭବିଷ୍ୟତ ଗଠନ ପାଇଁ ବୈଷୟିକ ପ୍ରଯୁକ୍ତିର ମଧ୍ୟ ଭୂମିକା ରହିଛି ବୋଲି ସେ କହିଥିଲେ। ଦେଶ ଗଠନ ପାଇଁ ଯୁବବର୍ଗର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଷ୍ଟାର୍ଟଅପ୍ଗୁଡ଼ିକ ସମେତ ଟାୟର ୨ ଓ ଟାୟର ୩ ସହରଗୁଡ଼ିକର ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ରହିଛି। ଆମକୁ ଆଞ୍ଚଳିକ ଆକାଂକ୍ଷାଗୁଡ଼ିକୁ ପୂରଣ କରିବାକୁ ହେବ ଏବଂ ଗୋଟିଏ ଅଞ୍ଚଳ ପଛରେ ରହିଲେ ଭାରତ ଏକ ବିକାଶିତ ଦେଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ମୋଦୀ କହିଥିଲେ ଯେ ଆମେ ବର୍ତ୍ତମାନ ସ୍ବାଧୀନତାର ‘ଅମୃତ କାଳ’ରେ ବାସ କରୁଛୁ। ଏହି ଅମୃତ କାଳରେ ଆମର ନିଷ୍ପତ୍ତି, ଆମର କାର୍ଯ୍ୟ ଓ ଆମର ବଳିଦାନ ପରବର୍ତ୍ତୀ ୧ ହଜାର ବର୍ଷ ପର୍ଯ୍ୟନ୍ତ ଆମର ଗୌରବାବହ ଇତିହାସର ପଥ ପରିଷ୍କାର କରିବ। ଆମେ କୌଣସି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ଏହି ଗୌରବାବହ ଇତିହାସକୁ ନେଇ କାହାରି ମନରେ କୌଣସି ପ୍ରକାର ‘ଯଦି’ ଓ ‘କିନ୍ତୁ’ ରହିବା ଉଚିତ ନୁହେଁ ବୋଲି ମୋଦୀ କହିଥିଲେ। ଏହା ସହିତ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଭାରତକୁ ଏକ ଦୃଢ଼ ସରକାର ଲୋଡ଼ା
ମୋଦୀ କହିଥିଲେ ଯେ, ଦେଶବାସୀ ବର୍ତ୍ତମାନ ବୁଝିଗଲେଣି ନେତୃତ୍ବ ନେବା ପାଇଁ ଏକ ଦୃଢ଼ ସରକାର ଆବଶ୍ୟକ। ସେଥିପାଇଁ କେତେ ଦଶନ୍ଧିର ଅସ୍ଥିରତା ପରେ ସେମାନେ ଏକ ଏକକ ସଂଖ୍ୟାଗରିଷ୍ଠ ଦଳକୁ କ୍ଷମତାସୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ଲୋକମାନେ ବିଜେପିକୁ ବାଛିଥିଲେ ଏବଂ ଏ ସରକାର ଦେଶକୁ ଉତ୍କର୍ଷ ଆଡ଼କୁ ନେବା ପାଇଁ ରିଫର୍ମ (ସଂସ୍କାର), ପର୍ଫମ (ପ୍ରଦର୍ଶନ) ଓ ଟ୍ରାନ୍ସଫର୍ମ (ରୂପାନ୍ତର) ଉପରେ ବିଶ୍ବାସ କରେ ବୋଲି ସେ କହିଥିଲେ। ପ୍ରତ୍ୟେକ ଟଙ୍କା ଦେଶବାସୀଙ୍କ କଲ୍ୟାଣରେ ବିନିଯୋଗ ହେଉଛି। ଆମ ପାଇଁ ଦେଶ ହେଉଛି ପ୍ରଥମ। ଦରବୃଦ୍ଧିକୁ ରୋକିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି।
ଭାରତର ମହିଳା
ମୋଦୀ କହିଥିଲେ ଯେ ଭାରତର ମହିଳାମାନେ ବର୍ତ୍ତମାନ ଷ୍ଟେମ୍ (ସାଇନ୍ସ, ଟେକ୍ନୋଲୋଜି, ଇଂଜିନିୟରିଂ ଓ ମ୍ୟାଥ୍ମେଟିକ୍ସ)ରେ ଆଗ ଅପେକ୍ଷା ଅଧିକ ଅଂଶଗ୍ରହଣ କରୁଛନ୍ତି। ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରଶଂସା କରି ସେ କହିଥିଲେ ଯେ ତାଙ୍କର ସ୍ବପ୍ନ ହେଉଛି ଦେଶରେ ଦୁଇକୋଟି ‘ଲକ୍ଷପତି ଦିଦି’ ସୃଷ୍ଟି କରିବା।
ବିଶ୍ବକର୍ମା ଯୋଜନା
ବିଶ୍ବକର୍ମା ଯୋଜନା ଉପରେ ମୋଦୀ କହିଥିଲେ ଯେ ଏହି ଯୋଜନା ପାଇଁ ପ୍ରାଥମିକ ଭାବରେ ଗତ ସେପ୍ଟେମ୍ବରରେ ୧୩,୦୦୦ରୁ ୧୫,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପାରମ୍ପରିକ କୁଶଳୀ କାରିଗରମାନଙ୍କ ହିତାର୍ଥେ ଏହି ଯୋଜନା ଆରମ୍ଭ କରାଯାଇଛି। ୨୦୨୩ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା।
ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଓ ତୁଷ୍ଟୀକରଣ
ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଜନମଙ୍ଗଳ ଯୋଜନାଗୁଡ଼ିକରୁ ୧୦ କୋଟି ନକଲି ହିତାଧିକାରୀଙ୍କୁ ଅପସାରିତ କରିଛି। ୨୦ ଗୁଣ ଯାଏ ବୃଦ୍ଧି ପାଇଥିବା ଅସତ୍-ଅର୍ଜିତ ସମ୍ପତ୍ତି ଜବତ କରାଯାଇଛି। ତାଙ୍କ ସରକାର ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ବଦ୍ଧପରିକର। ସେ କହିଥିଲେ ଯେ ତୁଷ୍ଟୀକରଣ ରାଜନୀତି ସାମାଜିକ ନ୍ୟାୟ ବ୍ୟବସ୍ଥାର କ୍ଷତି କରୁଛି। ତାଙ୍କ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛି ବୋଲି ମୋଦୀ କହିଥିଲେ। ସେ କହିଥିଲେ ପ୍ରିୟାପ୍ରୀତି ତୋଷଣ ଗଣତନ୍ତ୍ରର ସାଂଘାତିକ କ୍ଷତି କରୁଛି। ପରିବାରବାଦୀ ଦଳଗୁଡ଼ିକର ମନ୍ତ୍ର ହେଉଛି: ଦଳ ପରିବାରର, ପରିବାର ଦ୍ବାରା ଓ ପରିବାର ପାଇଁ’ ବୋଲି ମୋଦୀ କହିଥିଲେ।