ଇଣ୍ଡିଆ ଟୁଡେ ମୁଡ୍‌ ଅଫ ଦି ନେସନ୍‌ ପୋଲ୍‌: ନବୀନଙ୍କ ଶାସନରେ ୭୮% ସନ୍ତୁଷ୍ଟ

୨୦୨୪ରେ ବିଜେପି ଆସନ କମିବ

ନୂଆଦିଲ୍ଲୀ : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛନ୍ତି। ନବୀନଙ୍କ ଶାସନକୁ ନେଇ ୭୮ ପ୍ରତିଶତ ଓଡ଼ିଶା ଲୋକ ସନ୍ତୁଷ୍ଟ ଅଛନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବ‌ା ‘ମୁଡ୍ ଅଫ୍ ଦି ନେସନ ପୋଲ୍‌’ ସର୍ଭେରୁ ଏହା ଜଣାପଡ଼ିଛି। ‘ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ’ ବର୍ଗରେ ନବୀନ ଶୀର୍ଷ ସ୍ଥାନରେ ରହିଛନ୍ତି। ଇଣ୍ଡିଆ ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଏହି ତାଲିକାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ତୃତୀୟ ସ୍ଥାନରେ ଅଛନ୍ତି। ହିମନ୍ତଙ୍କ ଉପରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ‌

ତେବେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ହିସାବ‌ରେ ଲୋକପ୍ରିୟତା ତାଲିକାର ଶୀର୍ଷରେ ରହିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ୪୦ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୨୨ ପ୍ରତିଶତ ସହ ଦ୍ବିତୀୟରେ ଥିବା ବେଳେ ୯ ପ୍ରତିଶତ ସମର୍ଥନ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ସ୍ଥାନରେ ଅଛନ୍ତି।

Image Courtesy of India Today

ସର୍ଭେରେ କୁହାଯାଇଛି ଯେ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶାସନ କରୁଥିଲେ ମଧ୍ୟ ଲୋକପ୍ରିୟତାରେ ସେ ଏବେ ବିରୋଧୀ ଦଳ ନେତାଙ୍କ ତୁଳନାରେ ‌ଢେର୍‌ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ୫୩ ପ୍ରତିଶତ ଲୋକ ମୋଦୀଙ୍କୁ ଉପଯୁକ୍ତ ବୋଲି ଭାବୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୯ ପ୍ରତିଶତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛନ୍ତି। ଆଜି ଦେଶରେ ନିର୍ବାଚନ ହେଲେ ଏନଡିଏ ଆଗରେ ରହିବ। କିନ୍ତୁ ନୀତୀଶ ବିଜେପି ହାତ ଛାଡ଼ିବା ଘଟଣା ଏନଡିଏ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଅଗଷ୍ଟ ୧ ତାରିଖରେ ନିର୍ବାଚନ ହୋଇଥିଲେ ୫୦୩ ଲୋକସଭା ଆସନ ମଧ୍ୟରୁ ଏନଡିଏ ୩୦୭ ଆସନରେ ଜିତିଥାନ୍ତା। ୟୁପିଏ ୧୨୫ଟି ଆସନରେ ଏବଂ ଅନ୍ୟ ଦଳଗୁଡ଼ିକ ୧୧୧ ଆସନରେ ଜିତିଥାନ୍ତେ। କିନ୍ତୁ ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ପରେ ନିର୍ବାଚନ ହେଲେ ଏନଡିଏ ସିଧାସଳଖ ୨୧ଟି ଆସନ ହରାଇବ। ଏନଡିଏକୁ ୨୮୬ଟି ଆସନ ମିଳିବ। ଅନ୍ୟପକ୍ଷରେ ୟୁପିଏକୁ ୧୪୬ଟି ଆସନ ମିଳିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ବିରୋଧୀ ଦଳ ନେତାଭାବେ ୨୭ ପ୍ରତିଶତ ଲୋକ କେଜ୍ରିୱାଲ, ୨୦ ପ୍ରତିଶତ ମମତା ବାନାର୍ଜୀ ଓ ‌୧୩ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀଭାବେ ମୋଦୀଙ୍କ ବଡ଼ ବିଫଳତାଗୁଡ଼ିକ ହେଉଛି ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା। ୩୩ ପ୍ରତିଶତ ଲୋକ ଦରଦାମ ବୃଦ୍ଧିଙ୍କୁ ଏବଂ ୨୬ ପ୍ରତିଶତ ବେକାରୀକୁ ତାଙ୍କର ବିଫଳତା ବୋଲି ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କର ବଡ଼ ସଫଳତାଗୁଡ଼ିକ ମଧ୍ୟରେ ରହିଛି କୋଭିଡ ମହାମାରୀର ମୁକାବିଲା ଓ ଧାରା ୩୭୦ ଉଚ୍ଛେଦ। ୨୫ ପ୍ରତିଶତ ଲୋକ କୋଭିଡ ମୁକାବିଲାକୁ ଏବଂ ୧୫ ପ୍ରତିଶତ ଧାରା ୩୭୦ ଉଚ୍ଛେଦକୁ ତାଙ୍କର ବଡ଼ ସଫଳତା ବୋଲି କହିଛନ୍ତି। ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ପକ୍ଷରୁ ଉକ୍ତ ସର୍ଭେ ଚଳିତବର୍ଷ ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ହୋଇଛି। ସର୍ଭେରେ ୧ ଲକ୍ଷ ୨୨ ହଜାର ୧୬ ଲୋକଙ୍କୁ ସାମିଲ କରାଯାଇଥିଲା।

ସମ୍ବନ୍ଧିତ ଖବର