ମୁମ୍ବାଇ: ଖାଦ୍ୟ ଖାଇବା ପରେ ବାଇକୁଲା ମହିଳା ଜେଲ୍ର ପ୍ରାୟ ୭୮ ଜଣ ବନ୍ଦିନୀ ଅସୁସ୍ଥ ହୋଇ ଶୁକ୍ରବାର ସକାଳେ ନିକଟରେ ଥିବା ଜେଜେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ବନ୍ଦିନୀମାନଙ୍କର ପେଟ କାମୁଡ଼ିବା ସହ ବାନ୍ତି ହୋଇଥିଲା।
ଜେଜେ ସହ୍ପିଟାଲ୍ର ଡାକ୍ତରମାନେ କହିଛନ୍ତି ଯେ ବନ୍ଦିନୀମାନଙ୍କର ବାନ୍ତି, ପେଟ କାମୁଡ଼ା, ଜଳଶୁଷ୍କତା ଏବଂ ତରଳ ଝାଡ଼ା ହେଉଥିଲା। ଏବେ ସମସ୍ତେ ସୁସ୍ଥ ଅଛନ୍ତି। ତଦନ୍ତ ଚାଲିଛି ବୋଲି ଡିନ୍ ଡକ୍ଟର୍ ଏମ୍ ତୟାଦେ କହିଛନ୍ତି।
ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ବେଳେ ମହିଳାମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇଥିଲେ। ପରେ ପରେ ଅସୁସ୍ଥଙ୍କ ସଂଖ୍ୟା ୫୦ ଓ ତା’ପରେ ୭୮ରେ ପହଞ୍ଚିଥିଲା। ଅସୁସ୍ଥଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଡିନ୍ କହୁଛନ୍ତି।
ଏହା ଖାଦ୍ୟ ବିଷକ୍ରିୟା ଯୋଗୁଁ ହୋଇଥିବା କଥା ସନ୍ଦେହ କରାଯାଉଥିଲେ ବି ଅଧିକ ପରୀକ୍ଷା ନ କରାଯିବା ପର୍ଯ୍ୟନ୍ତ ନିଶ୍ଚିତ କରି କିଛି କହି ହେବ ନାହିଁ।
ବାଇକୁଲା ଜେଲ୍ରେ ୩୧୨ ଜଣ ବନ୍ଦିନୀ ଅଛନ୍ତି କିନ୍ତୁ, ଆଜି ଯାଏ କୌଣସି ପୁରୁଷ ବନ୍ଦୀ କିଂବା ଜେଲ୍ କର୍ମଚାରୀଙ୍କର ଜଳଶୁଷ୍କତାର ଶିକାର ହୋଇଥିବାର ଖବର ମିଳି ନାହିଁ।