ରାଜୀବ ଗାନ୍ଧିଙ୍କ ୭୮ତମ ଜୟନ୍ତୀ

ନୂଆଦିଲ୍ଲୀ : ଶନିବାର ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ୭୮ତମ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ପୁଅ ଓ ଝିଅ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜୀବଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି- ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାଙ୍କର ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିଧନ ପରେ ଅକ୍ଟୋବର ୩୧, ୧୯୮୪ ମସିହାରେ ତାଙ୍କର ପୁତ୍ର ରାଜୀବ ଗାନ୍ଧି ଦେଶର ୭ମ ପ୍ରଧାନମନ୍ତ୍ରୀ ତଥା ଦେଶର କନିଷ୍ଠତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଡିସେମ୍ବର ୨, ୧୯୮୯ ଯାଏ ‌ଏହି ପଦରେ ରହିଥିଲେ। ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମିତ ରାଜୀବଙ୍କୁ ୨୧ ମେ ୧୯୯୧ରେ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରାଯାଇଥିଲା। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ବିଟ୍ କରି ବାପାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ରାହୁଲ କହିଛନ୍ତି- ବାପା, ଆପଣ ମୋ ହୃଦୟରେ ସବୁବେଳେ ଅଛନ୍ତି। ଆପଣ ଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ପୂରା କରିବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। କଂଗ୍ରେସ ଦଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟ୍ବିଟ୍ କରି ରାଜୀବଙ୍କୁ ଶ୍ରଦ୍ଧା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର